କଂଗ୍ରେସରେ ଯୋଗ ଦେବାକୁ ମନାକଲେ ପ୍ରଶାନ୍ତ କିଶୋର, କହିଲେ ଏମିତି କଥା | News Room Odisha

କଂଗ୍ରେସରେ ଯୋଗ ଦେବାକୁ ମନାକଲେ ପ୍ରଶାନ୍ତ କିଶୋର, କହିଲେ ଏମିତି କଥା

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବାକୁ ମନା କରି ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଫଳରେ ଏନେଇ କିଛି ଦିନ ହେଲା ଲାଗି ରହିଥିବା କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ସୁରଜେୱାଲା ଟ୍ୱିଟ୍‌ରେ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କ ସହ ପ୍ରେଜେଣ୍ଟେସନ ଏବଂ ଆଲୋଚନା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଆକ୍ସନ୍ ଗ୍ରୁପ୍ ୨୦୨୪ ଗଠନ କରିଛନ୍ତି। ସୁରଜୱାଲାଙ୍କ କହିଛନ୍ତି ଯେ ସୋନିଆ ଗାନ୍ଧୀ ପ୍ରଶାନ୍ତ କିଶୋରଙ୍କୁ ଏହି ଦଳର ଏକ ଅଂଶ ଭାବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ପ୍ରଶାନ୍ତ କିଶୋର ଏହାକୁ ଗ୍ରହଣ କରିନାହାଁନ୍ତି। ସେ ଲେଖିଛନ୍ତି – ତାଙ୍କ ଉଦ୍ୟମ ଏବଂ ଦଳ ପାଇଁ ତାଙ୍କର ପରାମର୍ଶକୁ ଆମେ ପ୍ରଶଂସା କରୁଛୁ।

ଅନ୍ୟପକ୍ଷରେ କଂଗ୍ରେସରେ ଯୋଗ ଦେବା ପାଇଁ ଦଳର ପ୍ରସ୍ତାବକୁ ଗ୍ରହଣ ନକରିବା ନେଇ ପ୍ରଶାନ୍ତ କିଶୋର ପ୍ରତିକ୍ରିୟା ରଖିଛନ୍ତି। ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ ସେ କାହିଁକି କଂଗ୍ରେସରେ ଯୋଗଦେବାକୁ ମନା କରିଛନ୍ତି ।
ସେ ଲେଖିଛନ୍ତି- ଇଏଜି (ଏମ୍ପାଓର୍ଡ ଆକ୍ସନ୍ ଗ୍ରୁପ୍) ର ଏକ ଅଂଶ ଭାବରେ ଦଳରେ ଯୋଗଦେବା ଏବଂ ନିର୍ବାଚନ ପାଇଁ ଦାୟିତ୍ବ ଗ୍ରହଣ କରିବା ପାଇଁ ମୁଁ କଂଗ୍ରେସର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି। ମୋର ମତ ହେଉଛି ମୋ ଅପେକ୍ଷା ଦଳକୁ ଦୃଢ ନେତୃତ୍ୱ ଏବଂ ସାମୂହିକ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି । ଯାହା ଫଳରେ ପରିବର୍ତ୍ତନଶୀଳ ସଂସ୍କାର ମାଧ୍ୟମରେ ଗଠନମୂଳକ ସମସ୍ୟାର ସମାଧାନ ହୋଇପାରିବ , ଯାହାର ଜଡ ବହୁତ ଗଭୀର ।

ନିକଟରେ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧୀଙ୍କ ସାମ୍ନାରେ ଏକ ପ୍ରେଜେଣ୍ଟେସନ କରିଥିଲେ। ବିଶ୍ୱାସ କରାଯାଉଥିଲା ଯେ ସେ ଦଳ ପାଇଁ ୨୦୨୪ ନିର୍ବାଚନ ଲାଗି ଏକ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଦଳରେ ପ୍ରଶାନ୍ତ କିଶୋରଙ୍କୁ ସ୍ଥାନ ଦେବା ପାଇଁ ସୋନିଆ ଗାନ୍ଧୀ ଏକ କମିଟି ଗଠନ କରିଥିଲେ। ତେବେ କମିଟିର ଅନେକ ସଦସ୍ୟ ପ୍ରଶାନ୍ତ କିଶୋରଙ୍କ ବିଭିନ୍ନ ଦଳ ସହ ଜଡିତ ହେବା ଏବଂ ତାଙ୍କ ବିଚାରଧାରା ଉପରେ ପ୍ରଶ୍ନ ଉଠାଇଥିଲେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ରଣଦୀପ ସୁରଜେୱାଲାଙ୍କ ଟୁଇଟ୍ ଅନୁଯାୟୀ ଦଳର ସଭାପତି ସୋନିଆ ଗାନ୍ଧୀ ତାଙ୍କୁ ନିମନ୍ତ୍ରଣ କରିଥିଲେ।