ଆଜି କାରଗିଲ ବିଜୟ ଦିବସ, ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | News Room Odisha

ଆଜି କାରଗିଲ ବିଜୟ ଦିବସ, ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ସାରା ଦେଶ ବିଜୟ ଦିବସ ପାଳନ କରୁଛି । ଏହି ଦିନ ଠିକ୍ ୨୩ ବର୍ଷ ପୂର୍ବେ କାରଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ବିଜୟ ।

ଦେଶର ସର୍ବୋଚ୍ଚ ପଦର ଦାୟିତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାରଗିଲ ବିଜୟ ଦିବସରେ ସେହି ସହିଦ୍ ବୀର ଯବାନଙ୍କ ବଳିଦାନକୁ ମନେ ପକାଇ ପ୍ରଥମ ଟ୍ୱିଟ୍ କରିଛନ୍ତି। ଦେଶ ପ୍ରତିବର୍ଷ ଜୁଲାଇ ୨୬ରେ କାରଗିଲ ବିଜୟ ଦିବସ ପାଳନ କରିଥାଏ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଟ୍ୱିଟରେ ଲେଖିଛନ୍ତି ଯେ କାର୍ଗିଲ ବିଜୟ ଦିବସ ଆମର ସଶସ୍ତ୍ର ବାହିନୀର ଅସାଧାରଣ ବୀରତ୍ୱ, ପରାକ୍ରମ ଏବଂ ନିଷ୍ଠାର ପ୍ରତୀକ। ଭାରତ ମାତାର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସେହି ସମସ୍ତ ବୀର ଯବାନଙ୍କୁ ପ୍ରଣାମ କରୁଛି । ସମସ୍ତ ଦେଶବାସୀ ଏହି ଯବାନ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିକଟରେ ସର୍ବଦା ଋଣୀ ରହିବେ। ଜୟ ହିନ୍ଦ୍! ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ୍ କରି କାରଗିଲ ବିଜୟ ଦିବସ ଅବସରରେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ ଲେଖିଛନ୍ତି ଯେ କାରଗିଲ ବିଜୟ ଦିବସ ମାତା ଭାରତୀଙ୍କ ଗର୍ବ ଏବଂ ଗୌରବର ପ୍ରତୀକ। ଏହି ଅବସରରେ ମାତୃଭୂମିର ରକ୍ଷା ରେ ପରାକ୍ରମର ପରାକାଷ୍ଠା ପ୍ରଦର୍ଶନ କରିଥିବା ସମସ୍ତ ବୀରପୁତ୍ରଙ୍କୁ ମୋର ଶତ ପ୍ରଣାମ । ଜୟ ହିନ୍ଦ୍ ! ‘

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କାରଗିଲ ବିଜୟ ଦିବସ ଅବସରରେ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଠିକ୍ ୨୩ ବର୍ଷ ତଳେ ୨୬ ଜୁଲାଇ ୧୯୯୯ରେ ପାକିସ୍ତାନର ଷଡ଼ଯନ୍ତ୍ରକୁ ପଣ୍ଡ କରି ଭାରତୀୟ ସେନା କାରଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲେ। ପ୍ରାୟ ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତର ପ୍ରାୟ ୫୦୦ ଯବାନ ସହିଦ୍ ହୋଇଥିଲେ । ଏହି ଯୁଦ୍ଧର ପାକିସ୍ତାନର ୧୦୦୦ରୁ ଊର୍ଦ୍ଧ୍ବ ସୈନିକ ନିହତ ହୋଇଥିଲେ ।