ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ | News Room Odisha

ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସୋମବାର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଅସୁସ୍ଥତା କାରଣରୁ ସେ ଗତ କିଛି ଦିନ ଧରି ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ୍ କରି ଲେଖିଛନ୍ତି, “ଶ୍ରୀ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସାଧାରଣ ପରିବେଶରୁ ଆସିଥିବା ମୁଲାୟମ ସିଂ ଯାଦବ ଜୀଙ୍କର ସଫଳତା ଅସାଧାରଣ ଥିଲା। ‘ମାଟିର ପୁଅ’ ମୁଲାୟମ ଜୀ ସରଳ ଓ ଭେଟେରାନ୍ ନେତା ଥିଲେ। ତାଙ୍କୁ ସବୁ ଦଳର ଲୋକ ସମ୍ମାନ କରୁଥିଲେ। ତାଙ୍କ ପରିବାର ସଦସ୍ୟ ଏବଂ ସମର୍ଥକଙ୍କ ପ୍ରତି ମୋର ଗଭୀର ସମବେଦନା |

ସେ ଟ୍ୱିଟ୍ କରି କହିଛନ୍ତି, ” ମୁଲାୟମ ସିଂ ଯାଦବ ଜୀ ଉତ୍ତରପ୍ରଦେଶ ତଥା ଜାତୀୟ ରାଜନୀତିରେ ଜଣେ ପ୍ରତିଷ୍ଠିତ ନେତା ଥିଲେ । ଦେଶରେ ଜରୁରୀକାଳୀନ ସମୟରେ ସେ ଗଣତନ୍ତ୍ରର ଜଣେ ଗୁରୁତ୍ୱପୂର୍ଣ୍ଣ ସୈନିକ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ଭାରତକୁ ଶକ୍ତିଶାଳୀ କରିବାକୁ କାର୍ଯ୍ୟ କରିଥିଲେ। ତାଙ୍କର ସଂସଦୀୟ ହସ୍ତକ୍ଷେପ ବ୍ୟାବହାରିକ ଓ ଜାତୀୟ ସ୍ୱାର୍ଥ କୈନ୍ଦ୍ରିକ ଥିଲା ।

ପ୍ରଧାନମନ୍ତ୍ରୀ ଆଉ ଏକ ଟ୍ବିଟରେ ଲେଖିଛନ୍ତି, ଯେତେବେଳେ ଆମେ ଦୁହେଁ ମୁଖ୍ୟମନ୍ତ୍ରୀ ଥିଲୁ, ସେତେବେଳେ ମୁଲାୟମ ସିଂ ଯାଦବ ଜୀଙ୍କ ସହ ମୋର ଅନେକଥର ବାର୍ତ୍ତାଳାପ ହୋଇଥିଲା। ଏହି ଘନିଷ୍ଠ ସମ୍ପର୍କ ଜାରି ରହିଥିଲା ଏବଂ ମୁଁ ତାଙ୍କ ଚିନ୍ତାଧାରା ଜାଣିବାକୁ ସର୍ବଦା ଆଗ୍ରହୀ ଥିଲି | ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ। ତାଙ୍କ ପରିବାର ଏବଂ ଲକ୍ଷ ଲକ୍ଷ ସମର୍ଥକଙ୍କ ପ୍ରତି ମୋର ସମବେଦନା | ଓମ୍ ଶାନ୍ତି। ”

କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଦେଶର ବହୁ ନେତା ମୁଲାୟମ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଏହି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।