ଗାଜା ଉପରେ ଆକ୍ରମଣ ବନ୍ଦ ପାଇଁ ଇସ୍ରାଏଲ୍ ଉପରେ ବଢ଼ୁଛି ଚାପ | News Room Odisha

ଗାଜା ଉପରେ ଆକ୍ରମଣ ବନ୍ଦ ପାଇଁ ଇସ୍ରାଏଲ୍ ଉପରେ ବଢ଼ୁଛି ଚାପ

ଜେରୁଜେଲମ: ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲ୍ ଉପରେ ଚାପ ବଢ଼ିବାରେ ଲାଗିଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମାସର ଅତର୍କିତ ଆକ୍ରମଣ ପରଠୁ ଗାଜା ଉପରେ ବୋମା ବର୍ଷଣ କରିଚାଲିଛି ଇସ୍ରାଏଲ୍ । ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୫୦୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଜାରେ ଘୋର ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ଇସ୍ରାଏଲର‌ ବୋମା ମାଡ଼ ଯୋଗୁଁ ଗାଜାକୁ ମାନବୀୟ ସହାୟତା ଯୋଗାଣ ପ୍ରଭାବିତ ହୋଇଛି।

ବିଜୁଳି, ପାଣି, ଔଷଧ ଓ ଇନ୍ଧନ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଉତ୍କଟ ଅଭାବ ଯୋଗୁଁ ଗାଜା ବାସିନ୍ଦା ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ସାମୟିକ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। କାରଣ ଏହା ହାମାସକୁ ସୁହାଇବ ବୋଲି ସେ କହିଛନ୍ତି।

ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱାଙ୍ଗ କହିଛନ୍ତି ଯେ ଇସ୍ରାଏଲ କିପରି ନିଜ ସୁରକ୍ଷା ଅଧିକାରକୁ ବ୍ୟବହାର କରୁଛି ତାହା ଗୁରୁତ୍ୱପୂର୍ଣ୍ଣ ହେବ।

ଗାଜାରେ ଉତ୍କଟ ମାନବିକ ସଙ୍କଟ ନେଇ ଇସ୍ରାଏଲର ସହଯୋଗୀ ଦେଶ ଗୁଡ଼ିକ ମଧ୍ୟ ଚିନ୍ତା ପ୍ରକଟ କଲେଣି। ମଙ୍ଗଳବାର ଇଜିପ୍ଟ ଦେଇ କେବଳ ୮ ଟ୍ରକ୍ ରିଲିଫ୍ ସାମଗ୍ରୀ ଗାଜାରେ ପ୍ରବେଶ କରିପାରିଥିଲା । ଏହା ସମୁଦ୍ରକୁ ଶଙ୍ଖେ ବୋଲି ରିଲିଫ୍ ଏଜେନ୍ସିମାନେ କହିଛନ୍ତି।

ଜାତିସଂଘ କର୍ମକର୍ତ୍ତାଙ୍କ କହିବା ହେଲା ଯଦି ଗାଜାକୁ ଇନ୍ଧନ ଯୋଗାଣ ନ‌କରାଯାଏ, ତେବେ ବୁଧବାର ଠାରୁ ସେମାନେ କାମ କରିବା କଷ୍ଟ ହେବ ।

ଗାଜାକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଇଛି ଇସ୍ରାଏଲ। ଇସ୍ରାଏଲ କହିଛି ଯେ ଯଦି ଇନ୍ଧନ ଗାଜାକୁ ଯାଏ, ତେବେ ଏହାର‌ ବ୍ୟବହାର ହାମାସ୍ ବି କରିବ ।

ଆମେରିକା, ଅଷ୍ଟ୍ରେଲିଆ ଏବଂ କାନାଡା ଭଳି ଦେଶ ମାନବିକତା ଦୃଷ୍ଟିରୁ ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ କରିଛନ୍ତି। ତେବେ ଏହି ଦେଶଗୁଡ଼ିକ ସ୍ଥାୟୀ ଅସ୍ତ୍ରବିରତି ପାଇଁ ଦାବି କରିନାହାଁନ୍ତି ।