ଦୁର୍ବଳ ଟଙ୍କାର ପ୍ରଭାବ: ମହଙ୍ଗା ହେବ ଟିଭି, ୱାଶିଂମେସିନ୍, ରେଫ୍ରିଜରେଟର | News Room Odisha

ଦୁର୍ବଳ ଟଙ୍କାର ପ୍ରଭାବ: ମହଙ୍ଗା ହେବ ଟିଭି, ୱାଶିଂମେସିନ୍, ରେଫ୍ରିଜରେଟର

ନୂଆଦିଲ୍ଲୀ: ଟିଭି, ୱାଶିଂ ମେସିନ୍ ଏବଂ ରେଫ୍ରିଜରେଟର ଭଳି ଇଲେକ୍ଟ୍ରୋନିକ୍ ସାମଗ୍ରୀର ଦାମ୍ ଆହୁରି ବଢ଼ିବ । ମେ ମାସ ଶେଷରୁ କିମ୍ବା ଜୁନ୍ ପ୍ରଥମ ସପ୍ତାହରୁ ଏହି ସବୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଦାମ୍ ତିନିରୁ ପାଞ୍ଚ ପ୍ରତିଶତ ବୃଦ୍ଧି ହୋଇପାରେ । ଏହାର କାରଣ ହେଉଛି ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ।

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାଇଁ ବ୍ୟବହୃତ କଞ୍ଚାମାଲ ସାଧାରଣତଃ ବିଦେଶରୁ ଆମଦାନୀ କରିବାକୁ ପଡ଼ିଥାଏ। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଏହି ସବୁ କଞ୍ଚାମାଲ ମହଙ୍ଗା ହୋଇଛି । ଏହା ବ୍ୟତୀତ ଚାଇନାରେ କୋଭିଡ-୧୯ ର ନୂଆ ଲହର ଯୋଗୁଁ କଡ଼ା କଟକଣା କାରଣରୁ ବହୁ ଜାହାଜ ସାଂଘାଇ ବନ୍ଦରରେ ଠିଆ ହୋଇଛି | ଏଭଳି ପରିସ୍ଥିତିରେ କଞ୍ଚାମାଲର ଅଭାବ ସମସ୍ୟା ବଢ଼ିଚଲିଛି ଏବଂ ଇଲେକ୍ଟ୍ରୋନିକ୍ସ ନିର୍ମାତାଙ୍କ ଷ୍ଟକ୍ ଉପରେ ଚାପ ବଢ଼ିଛି | ଏହିପରି ଅନେକ ଉତ୍ପାଦ, ଯାହା ମୁଖ୍ୟତ ଆମଦାନୀ ଉପରେ ନିର୍ଭରଶୀଳ, ବଜାରରୁ ହଜିଯାଉଛି |

ଖାଉଟି ଇଲେକ୍ଟ୍ରୋନିକ୍ସ ଏବଂ ଆପ୍ଲାଏନ୍ସ ଉତ୍ପାଦକ ସଂଘ (ସିଏମା) କହିଛି ଯେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେବା ଏହି ଶିଳ୍ପ ପାଇଁ ସମସ୍ୟା ବଢ଼ାଇ ଦେଇଛି। ‘ସିଏମା’ ସଭାପତି ଏରିକ ବ୍ରେଗାନଜା କହିଛନ୍ତି ଯେ କଞ୍ଚାମାଲର ମୂଲ୍ୟ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଆମେରିକୀୟ ଡଲାର ମଜବୁତ ହେଉଛି ଏବଂ ଟଙ୍କା ଦୁର୍ବଳ ହେଉଛି । ତେଣୁ ସବୁ ନିମାର୍ତାଙ୍କ ଲାଭ ହ୍ରାସ ପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଜୁନ୍ ଠାରୁ ମୂଲ୍ୟ ତିନି ରୁ ପାଞ୍ଚ ପ୍ରତିଶତ ବୃଦ୍ଧି ପାଇବ। ୱାଶିଂ ମେସିନ୍ ଠାରୁ ଆରମ୍ଭ କରି ଏୟାର କଣ୍ଡିସନର, ରେଫ୍ରିଜରେଟର ଏବଂ ଅନ୍ୟାନ୍ୟ ଘରୋଇ ଉପକରଣ ପର୍ଯ୍ୟନ୍ତ ଏହି ମୂଲ୍ୟ ବୃଦ୍ଧି ହେବ