ନୂଆ ଜିଏସଟି ହାର ଲାଗୁ ପରେ ୧୫ ପ୍ରତିଶତ ବଢିଛି ଖାଦ୍ୟ ସାମଗ୍ରୀ ଦର | News Room Odisha

ନୂଆ ଜିଏସଟି ହାର ଲାଗୁ ପରେ ୧୫ ପ୍ରତିଶତ ବଢିଛି ଖାଦ୍ୟ ସାମଗ୍ରୀ ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ବଢ଼ାଇବା ପରେ ଗତ ୧୦ ଦିନ ମଧ୍ୟରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ପୂର୍ବରୁ ପ୍ୟାକ୍ ହୋଇଥିବା ଖାଦ୍ୟ ସାମଗ୍ରୀ ଉପରେ ୫% ଜିଏସଟି ଲାଗୁ ହେବା ପରେ ଅଟା, ଚାଉଳ, ଦଲିଆ, ମଇଦା, ସୁଜି, ଡାଲି (ହରଡ଼) ଏବଂ ରାଜମା ସହିତ ଅନ୍ୟ ଖାଦ୍ୟ ସାମଗ୍ରୀ ପୂର୍ବାପେକ୍ଷା ଅଧିକ ମହଙ୍ଗା ହୋଇଛି।

ଏବେ ଅଣ ବ୍ରାଣ୍ଡେଡ୍ ମଇଦାର ମୂଲ୍ୟ ମଧ୍ୟ ୨୫ ପ୍ରତିଶତ ବଢିଛି। ଦହି, ପନିର ଦାମ୍ ମଧ୍ୟ ୭ ପ୍ରତିଶତ ବଢିଛି | ପୂର୍ବରୁ ମଇଦାର ୧୦ କିଲୋଗ୍ରାମ ପ୍ୟାକେଟ୍ ୨୮୦ ଟଙ୍କାରେ ମିଳୁଥିଲା, ବର୍ତ୍ତମାନ ୫% ଜିଏସଟି ଲାଗୁ ହେବା ପରେ ଏହାର ମୂଲ୍ୟ ୨୯୫ ଟଙ୍କାକୁ ବୃଦ୍ଧି ପାଇଛି | ସେହିଭଳି ପୂର୍ବରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ୧ କେଜି ଚାଉଳ ଏବେ ୬୫ ଟଙ୍କା ହୋଇଯାଇଛି ।

ସେହିପରି ଡ଼ାଲି ଦର ୫ ରୁ ୭ ଟଙ୍କା ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବା ଦ୍ୱାରା ସାଧାରଣ ଲୋକଙ୍କ ଘରୋଇ ବଜେଟ୍ ଆହୁରି ବିଗିଡ଼ି ଯାଇଛି । ପୂର୍ବରୁ ଡିଜେଲ, ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସର ଦରବୃଦ୍ଧି ଯୋଗୁଁ ଲୋକଙ୍କ ଚଳିବା କଷ୍ଟକର ହୋଇପଡ଼ିଥିବା ବେଳେ ବର୍ତ୍ତମାନ ଜିଏସଟିରେ ୫ ପ୍ରତିଶତ ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରାୟ ସବୁ ସ୍ଥାନରେ ଚାଉଳ, ମଇଦା, ଡାଲି, ସୁଜି ଆଦି ଖାଦ୍ୟ ସାମଗ୍ରୀ ଏବେ ବର୍ଦ୍ଧିତ ମୂଲ୍ୟରେ ବିକ୍ରି ହେଉଛି । ଏପରିକି କେତେକ ସ୍ଥାନରେ ଦୋକାନୀମାନେ ପୂର୍ବରୁ ରଖିଥିବା ଖାଦ୍ୟ ପ୍ୟାକେଟଗୁଡିକ ଉପରେ ଗ୍ରାହକଙ୍କ ଠାରୁ ୫% ଜିଏସଟି ଆଦାୟ କରୁଛନ୍ତି ।

ସୂଚନାଯୋଗ୍ୟ, ଜୁଲାଇ ୧୮ରୁ ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଜିଏସଟି ପରିସରଭୁକ୍ତ ହୋଇଛି | ୨୪ଟି ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବା ପରେ ଲୋକ ପୁଣି ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି । ପ୍ୟାକିଂରେ ବିକ୍ରି ହେଉଥିବା ୫୦୦ ଗ୍ରାମ ଓ ଏକ କିଲୋଗ୍ରାମ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ୫% ଜିଏସଟି ଦେବାକୁ ପଡ଼ୁଛି । ଅଣ ବ୍ରାଣ୍ଡେଡ୍ ଖାଦ୍ୟ ସାମଗ୍ରୀର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି | ଏହି କାରଣରୁ, ବର୍ତ୍ତମାନ ମଇଦା, ସମସ୍ତ ପ୍ରକାର ଚାଉଳ, ଡାଲି, ସୁଜି, ମଇଦା ଏବଂ ଦଲିଆ ସହିତ ଅନେକ ଖାଦ୍ୟ ସାମଗ୍ରୀର ଦର ବଢ଼ିଛି।