ପୂଜାପାଠ ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ନୂଆ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ | News Room Odisha

ପୂଜାପାଠ ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ନୂଆ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂଜାପାଠ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦେଶର ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି। ପୂଜାର୍ଚ୍ଚନା ଓ ଯଜ୍ଞ ପରେ ତାମିଲନାଡୁର ବିଭିନ୍ନ ମଠରୁ ଆସିଥିବା ଅଧୀନମ (ମଠାଧୀଶ) ‘ସେଙ୍ଗୋଲ୍’ ବା‌ ରାଜଦଣ୍ଡକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରିଥିଲେ । ସାଷ୍ଟାଙ୍ଗ ପ୍ରଣିପାତ କରିବା ପରେ ପ୍ରଧାନମନ୍ତ୍ରୀ ‘ସେଙ୍ଗୋଲ୍’କୁ ନେଇ ସଂସଦରେ ବାଚସ୍ପତିଙ୍କ ଆସନ ପାଖରେ ସ୍ଥାପନ କରିଥିଲେ। ଏହି ସମୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କ ସହ ଉପସ୍ଥିତ ଥିଲେ।

ସେଙ୍ଗୋଲ ସ୍ଥାପନ ପରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ନିର୍ମାଣରେ ନିୟୋଜିତ ‘ଶ୍ରୀଯୋଗୀ’ ତଥା ଶ୍ରମିକମାନଙ୍କୁ ସମ୍ମାନିତ କରିଥିଲେ। ଏହା ପରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ପ୍ରାର୍ଥନା ସଭାରେ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ୨୫ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପୂଜାର୍ଚ୍ଚନା ଓ ଯଜ୍ଞ ସହ ପ୍ରାତଃ ସମୟରୁ ଉଦଘାଟନ ଉତ୍ସବ ଆରମ୍ଭ ହେଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୭:୩୦ରେ ସଂସଦରେ ପହଞ୍ଚି ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ପ୍ରଣାମ କରିବା ପରେ ପୂଜାରେ ସାମିଲ ହୋଇଥିଲେ। ପୂଜାପାଠ ଏବଂ ସେଙ୍ଗୋଲ୍ ସ୍ଥାପନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି – ଆଜି ଆମ ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ। ସଂସଦର ନୂଆ ଭବନ ଆମ ସମସ୍ତଙ୍କୁ ଗର୍ବ ଏବଂ ଆଶାରେ ଭରିଦେବ।

ରାଷ୍ଟ୍ରପତିଙ୍କୁ ଅଣଦେଖା ଅଭିଯୋଗ କରି କଂଗ୍ରେସ ସମେତ ୨୦ଟି ବିରୋଧୀ ଦଳ ନୂଆ ସଂସଦ ଭବନର ଉଦଘାଟନୀ ସମାରୋହକୁ ବର୍ଜନ କରିଥିଲେ। ସେମାନେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ନିଷ୍ପତ୍ତି କେବଳ ଅପମାନ ନୁହେଁ, ଏହା ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ।

ଅନ୍ୟପକ୍ଷରେ ବିଜେପି ସହ ୨୫ଟି ଦଳ ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ ।