ଆଜିଠୁ ଚତୁର୍ଥ ଟେଷ୍ଟ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଶି ମ୍ୟାଚ୍ ଦେଖିବେ ମୋଦୀ | News Room Odisha

ଆଜିଠୁ ଚତୁର୍ଥ ଟେଷ୍ଟ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଶି ମ୍ୟାଚ୍ ଦେଖିବେ ମୋଦୀ

ଅହମ୍ମଦାବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଆଜିଠାରୁ ଆରମ୍ଭ ହେଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଏକାଠି ଦେଖିବେ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି । ସେ ବୁଧବାର (ମାର୍ଚ୍ଚ ୮) ଗୁଜରାଟରେ ପହଞ୍ଚିଥିଲେ। ପ୍ରଥମ ଦିନରେ ସେ ରଙ୍ଗର ପର୍ବ ହୋଲି ଖେଳିଥିବା ବେଳେ ଆଜି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଉପଭୋଗ କରିବେ।

ଚାରି ଦିନିଆ ଏହି ଭାରତ ଗସ୍ତରେ ଆଲବାନିସଙ୍କ ସହ ମନ୍ତ୍ରୀ ଏବଂ ଶିଳ୍ପପତିଙ୍କ ଏକ ପ୍ରତିନିଧୀ ଦଳ ମଧ୍ୟ ଆସିଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ମଜବୁତ କରିବା ଉପରେ ଗୁରୁତ୍ବ ଦିଆଯିବ। ପୂର୍ବରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଭାରତ ସହ ଅଷ୍ଟ୍ରେଲିଆର ବହୁମୁଖୀ ସମ୍ପର୍କ ରହିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଭାବେ ଏହା ଆନ୍ଥୋନି ଆଲବାନିସଙ୍କ ପ୍ରଥମ ଭାରତ ଗସ୍ତ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏହା ତାଙ୍କର ଚତୁର୍ଥ ସାକ୍ଷାତ ହେବ | ମେ ୨୦୨୨ରେ ଟୋକିଓରେ ‘କ୍ୱାଡ୍’ ସମ୍ମିଳନୀରେ ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲା । ଏହାପରେ ଆଲବାନିଜ-ମୋଦୀ ସେପ୍ଟେମ୍ବର ୨୭ରେ ଟୋକିଓରେ ଏବଂ ତୃତୀୟ ସାକ୍ଷାତ ୧୬ ନଭେମ୍ବରରେ ଜି-୨୦ର ବାର୍ଷିକ ଶିଖର ସମ୍ମିଳନୀରେ ହୋଇଥିଲା |

ଅପରପକ୍ଷରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ବିଷୟରେ କହିବାକୁ ଗଲେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ୯ ଓ୍ବିକେଟରେ ଅଷ୍ଟ୍ରେଲିଆ ଠାରୁ ହାରିଯାଇଥିଲା । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି ।