ଶ୍ରୀଲଙ୍କା ସଙ୍କଟ: ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ହେଲେ କାମଚଳା ରାଷ୍ଟ୍ରପତି | News Room Odisha

ଶ୍ରୀଲଙ୍କା ସଙ୍କଟ: ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ହେଲେ କାମଚଳା ରାଷ୍ଟ୍ରପତି

କଲମ୍ବୋ: ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା ସଂସଦର ବାଚସ୍ପତି ଏହି ସୂଚନା ଦେଇଛନ୍ତି ।

ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନେଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଶ୍ରୀଲଙ୍କା ସମ୍ବିଧାନର ଧାରା ୩୭.୧ ମୁତାବକ ରାନିଲ ବିକ୍ରମାସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରିଛନ୍ତି । ସେ ବିଦେଶରୁ ଫେରିବା ପର୍ଯ୍ୟନ୍ତ ବିକ୍ରମାସିଂଘେ ଦେଶର ରାଷ୍ଟ୍ରପତି ଦାୟିତ୍ବ ତୁଲାଇବେ ।

ଗତ କିଛି ଦିନ ଧରି ସମସ୍ତ ଘୋଷଣା ସଂସଦର ବାଚସ୍ପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହିଁ କରାଯାଇଛି।

ରାନିଲ ବିକ୍ରମାସିଂଘେ କାମଚଳା ରାଷ୍ଟ୍ରପତି ହେବା ପରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏହାଛଡ଼ା ଦେଶର ପଶ୍ଚିମ ଭାଗରେ କର୍ଫ୍ୟୁ ଲାଗୁ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ଜରୁରୀକାଳୀନ ପରିସ୍ଥିତି ସତ୍ତ୍ୱେ ହଜାର ହଜାର ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ସୁରକ୍ଷା ବାହିନୀକୁ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡିଥିଲା।

ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ଇସ୍ତଫା ଦାବି କରିଛନ୍ତି ।

ଯଦି ରାଷ୍ଟ୍ରପତି ଗୋଟାବାୟା ଏବଂ ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେ ସନ୍ଧ୍ୟା ସୁଦ୍ଧା ଇସ୍ତଫା ନ ଦିଅନ୍ତି, ତେବେ ସେମାନେ ସଂସଦ ସମେତ ସବୁ ସରକାରୀ କୋଠା ଉପରେ କବଜା କରିବେ ବୋଲି ବିକ୍ଷୋଭକାରୀ ଚେତାବନୀ ମଧ୍ୟ ଦେଇଛନ୍ତି ।