ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ବିରୋଧରେ ୱାୟାନାଡରେ କଂଗ୍ରେସର ଜୋରଦାର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ | News Room Odisha

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ବିରୋଧରେ ୱାୟାନାଡରେ କଂଗ୍ରେସର ଜୋରଦାର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ୱାୟାନାଡ (କେରଳ): ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରତିବାଦରେ କେରଳର ୱାୟାନାଡରେ ଶନିବାର କଂଗ୍ରେସ କର୍ମୀ ତଥା ଏହାର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ ସହ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି ।

ରାହୁଲ ଗାନ୍ଧୀ ୱାୟାନାଡରୁ ଲୋକସଭା ସାଂସଦ ଥିଲେ । ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ବିରୋଧ କରି ରାଜ୍ୟ କଂଗ୍ରେସର ଶହ ଶହ କର୍ମୀ ୱାୟାନାଡର କାଲପେଟ୍ଟା ଥିବା ବିଏସଏନଏଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରାରେ ଯାଇଥିଲେ । ବିରୋଧ ପ୍ରଦର୍ଶନରେ ସାମିଲ ବିଧାୟକ ଟି ସିଦ୍ଦିକିଙ୍କ ସମେତ କଂଗ୍ରେସର ଅନେକ ନେତାଙ୍କୁ ପୋଲିସ ସେଠାରୁ ଏକ ବସ୍‌ରେ ନେଇ ଅଟକ ରଖିଥିଲା ।

ସିଦ୍ଦିକିଙ୍କ ବ୍ୟତୀତ ଅନେକ ଯୁବ କଂଗ୍ରେସ କର୍ମୀ ତଥା ରାଜ୍ୟ କଂଗ୍ରେସ ନେତାଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଥିଲା ।

ଦଳର ବହୁ ନେତା ତଥା କର୍ମକର୍ତ୍ତା ତଥା ଏହାର ଯୁବ ଓ ଛାତ୍ର ସଂଗଠନ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ବିଏସଏନଏଲ କାର୍ଯ୍ୟାଳୟ ପରିସରରେ ପୋଲିସ ଲଗାଇଥିବା ବ୍ୟାରିକେଡ ଉପରେ କିଛି ଯୁବ କଂଗ୍ରେସ କର୍ମୀ ଚଢିଯିବା ଟିଭି ଭିଜୁଆଲରେ ଦେଖିବାକୁ ମିଳିଥିଲା । କଂଗ୍ରେସ, ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ପୋଲିସ ଉଠାଇ ନେଉଥିବା ବେଳେ ସେମାନେ ‘କଂଗ୍ରେସ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ।

ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ବି ଡି ସତୀଶନ୍ କୋଚିରେ ଗଣମାଧ୍ୟମକୁ କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା ବିରୋଧରେ ଦଳ ତଥା ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବ। ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ସତୀଶନ କହିଥିଲେ, ଦଳ ମାର୍ଚ୍ଚ ୨୭ରେ କେରଳ ରାଜ ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ବିରୋଧ ପ୍ରଦର୍ଶନ କରିବ ।

‘ସବୁ ମୋଦୀ ସାଙ୍ଗିଆଧାରୀ ଚୋର’ ବୟାନ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ କୋର୍ଟ ଗୁରୁବାର ଦୋଷୀ ସାବ୍ୟସ୍ତ କରିଥିଲେ । ଏହାଛଡ଼ା ଏହି କଂଗ୍ରେସ ନେତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଏହାର ଦିନକ ପରେ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା। ରାହୁଲ ଗାନ୍ଧୀ ଉକ୍ତ ବିବାଦୀୟ ବୟାନ ୨୦୧୯ରେ କର୍ଣ୍ଣାଟକର କୋରାଲରେ ଏକ ନିର୍ବାଚନୀ ରାଲିରେ ଦେଇଥିଲେ ।