ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ, କ୍ୟାପିଟଲ ହିଲ୍ ହିଂସା ଘଟଣାରେ ଅପରାଧିକ ମାମଲା ରୁଜୁ ପାଇଁ ତଦନ୍ତ ପ୍ୟାନେଲର ସୁପାରିସ | News Room Odisha

ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ, କ୍ୟାପିଟଲ ହିଲ୍ ହିଂସା ଘଟଣାରେ ଅପରାଧିକ ମାମଲା ରୁଜୁ ପାଇଁ ତଦନ୍ତ ପ୍ୟାନେଲର ସୁପାରିସ

ୱାଶିଂଟନ୍: କ୍ୟାପିଟଲ ହିଲ୍ (ଆମେରିକାର ସଂସଦ) ଉପରେ ଆକ୍ରମଣ ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହି ମାମଲାର ଯାଞ୍ଚ୍ କରୁଥିବା ତଦନ୍ତ ପ୍ୟାନେଲ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ସୁପାରିସ କରିଛି। ତେବେ ଟ୍ରମ୍ପ ଏହାକୁ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ୨୦୨୪ ନିର୍ବାଚନ ଲଢ଼ିବାରୁ ତାଙ୍କୁ ରୋକିବାକୁ ଉଦ୍ୟମ କରାଯାଉଛି‌ ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି ।

ଟ୍ରମ୍ପଙ୍କ ବିରୋଧରେ ବିଦ୍ରୋହ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଆମେରିକା ସରକାରଙ୍କ ପ୍ରତି ବିଶ୍ବାସଘାତକତା କରିବା ଏବଂ ମିଥ୍ୟା ବୟାନ ଦେବା ଭଳି ଅଭିଯୋଗ ରୁଜୁ କରିବାକୁ ତଦନ୍ତ ପ୍ୟାନେଲ ନ୍ୟାୟ ବିଭାଗକୁ ସୁପାରିସ କରିଛି।

ଅପରପକ୍ଷରେ ଟ୍ରମ୍ପ ତାଙ୍କ ବିରୋଧରେ ଅଭିଯୋକୁ ମିଛ ବୋଲି କହିଛନ୍ତି। ସେ ଏହାକୁ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ସହ ଯୋଡିଛନ୍ତି। ତାଙ୍କୁ ଏବଂ ରିପବ୍ଲିକାନ୍ ପାର୍ଟିକୁ ରୋକିବା ପାଇଁ ଏହା ଏକ ପକ୍ଷପାତ ପ୍ରୟାସ ବୋଲି ସେ ଅଭିଯୋଗ କରିଛନ୍ତି ।

ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ପରାଜୟ ପରେ ୬ ଜାନୁଆରୀ ୨୦୨୧ରେ କ୍ୟାପିଟଲ ହିଲରେ ହିଂସା ହୋଇଥିଲା। ନିର୍ବାଚନ ଟ୍ରମ୍ପ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କ ଠାରୁ ପରାସ୍ତ ହୋଇଥିଲେ। ନିର୍ବାଚନ ଫଳ ଘୋଷଣା ପରେ ରାଜଧାନୀ ୱାଶିଂଟନ୍ ସ୍ଥିତ କ୍ୟାପିଟାଲ୍ ହିଲ୍ (ସଂସଦ) ଉପରେ ଟ୍ରମ୍ପ ସମର୍ଥକ ଆକ୍ରମଣ କରିଥିଲେ । ଉକ୍ତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଲୋକ ଆହତ ହୋଇଥିଲେ।