ରେସଲରଙ୍କୁ ଭେଟିଲେ ଆଇଓଏ ସଭାପତି ପିଟି ଉଷା | News Room Odisha

ରେସଲରଙ୍କୁ ଭେଟିଲେ ଆଇଓଏ ସଭାପତି ପିଟି ଉଷା

ନୂଆଦିଲ୍ଲୀ: କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଗତ ଦୁଇ ସପ୍ତାହ ଧରି ଜନ୍ତର ମନ୍ତରଠାରେ ଧାରଣାରେ ବସିଥିବା ରେସଲରମାନଙ୍କୁ ଭେଟିଛନ୍ତି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ପିଟି ଉଷା । ବୁଧବାର ସେ ଜନ୍ତର ମନ୍ତର ପହଞ୍ଚି ବିକ୍ଷୋଭରତ ରେସଲରଙ୍କ ସହ କଥାବାର୍ତ୍ତା କରିଛନ୍ତି । କୁସ୍ତି ସଂଘ ସଭାପତିଙ୍କ ବିରୋଧରେ ଲଢ଼େଇରେ ସବୁ ପ୍ରକାର ସହାୟତା କରିବାକୁ ଉଷା ରେସଲରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ବିକ୍ଷୋଭ କରୁଥିବା କୁସ୍ତିଯୋଦ୍ଧାମାନେ କୁସ୍ତି ସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ଦୁର୍ନୀତି ଏବଂ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି।

ନିକଟରେ ଆଇଓଏ ସଭାପତି ଉଷା ରେସଲରମାନଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ ରେସଲରଙ୍କ ଏଭଳି ରାସ୍ତାରେ ବିରୋଧ ପ୍ରଦର୍ଶନ ବିଶୃଙ୍ଖଳାକୁ ଦର୍ଶାଉଛି ଓ ଦେଶର ଛବି ଖରାପ କରୁଛି ।

ପିଟି ଉଷା ସେମାନଙ୍କ ଦୁଃଖ ବୁଝିବେ ଓ ସମର୍ଥନ କରିବେ ବୋଲି ସେମାନେ ଆଶା କରୁଥିଲେ। କିନ୍ତୁ ତାଙ୍କ ମନ୍ତବ୍ୟ ସେମାନଙ୍କୁ ଆଘାତ ଦେଇଛି ବୋଲି ରେସଲରମାନେ କହିଥିଲେ ।

କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଆଇଓଏର ଏକ କମିଟି ମଧ୍ୟ ଯାଞ୍ଚ୍ କରୁଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର ରୁଜୁ କରିଥିଲା। ଏଥି ମଧ୍ୟରୁ ଗୋଟିଏ ‘ପକ୍ସୋ’ ଆଇନ ଅନୁଯାୟୀ ଦାୟର ହୋଇଥିଲା ।

ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ବ୍ରିଜ ଭୂଷଣ ଖଣ୍ଡନ କରିଛନ୍ତି।

ବ୍ରିଜ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କୁସ୍ତି ସଂଘର ସଭାପତିଙ୍କ ଇସ୍ତଫା ଏବଂ ଗିରଫ ଦାବିରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ ଜିଦ୍ ଧରିଛନ୍ତି।