ପୁଣେ ପୋର୍ସ ଦୁର୍ଘଟଣା: ରକ୍ତ ନମୁନା ବଦଳାଇବା ପାଇଁ ୩ ଲକ୍ଷ ଲାଞ୍ଚ ଦେଇଥିଲେ ନାବାଳକର ବାପା | News Room Odisha

ପୁଣେ ପୋର୍ସ ଦୁର୍ଘଟଣା: ରକ୍ତ ନମୁନା ବଦଳାଇବା ପାଇଁ ୩ ଲକ୍ଷ ଲାଞ୍ଚ ଦେଇଥିଲେ ନାବାଳକର ବାପା

ପୁଣେ: ପୁଣେ ପୋର୍ସ ଦୁର୍ଘଟଣା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି । ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ନାବାଳକ ଅଭିଯୁକ୍ତର ବାପା ତାଙ୍କ ପୁଅ ମଦ ପିଇଥିବା କଥା ଲୁଚାଇବା ପାଇଁ ରକ୍ତ ନମୁନା ବଦଳାଇଥିଲେ । ଏଥିପାଇଁ ନାବାଳକର ବାପା ବିଶାଲ ଅଗ୍ରୱାଲ ଏକ ସରକାରୀ ଡାକ୍ତରଖାନାର ପିଅନ ଜରିଆରେ ଦୁଇ ଜଣ ଡ଼ାକ୍ତରଙ୍କୁ ୩ ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ ।

ପୁଅର ରକ୍ତ ନମୁନା ବଦଳାଇବା ପାଇଁ ବିଶାଲ ଅଗ୍ରୱାଲ ପୁଣେର ସାସୁନ୍ ହସ୍ପିଟାଲର ଫରେନସିକ୍ ମୁଖ୍ୟ ଅଜୟ ତାୱଡେଙ୍କ ସହ ଫୋନରେ କଥା ମଧ୍ୟ ହୋଇଥିଲେ। ଡକ୍ଟର ହେଲନୋର ପୋଲିସ ନିକଟରେ ମାନିଛନ୍ତି ଯେ ସେ ଡ଼ାକ୍ତର ତାୱଡେଙ୍କ କହିବା ଅନୁସାରେ ନାବାଳକର ମୂଳ ରକ୍ତ ନମୁନାକୁ ଡଷ୍ଟବିନରେ ଫିଙ୍ଗି ଦେଇଥିଲେ । ନାବାଳକ ମଦ ପିଇ ନଥିଲା ବୋଲି ପ୍ରମାଣିତ କରିବା ପାଇଁ ସେ ଅନ୍ୟ ଜଣଙ୍କର ରକ୍ତ ନମୁନା ଆଣି ରିପୋର୍ଟ ପ୍ରସ୍ତୁତ କରିଥିଲେ । ଉଭୟ ଡାକ୍ତରଙ୍କୁ ଗତକାଲି ଗିରଫ କରାଯାଇଥିଲା। ଆଜି ସେହି ହସ୍ପିଟାଲର ପିଅନ୍ ଅତୁଲ ଘଟକମ୍ବଲେଙ୍କୁ ଗିରଫ କରିଛି ପୋଲିସ।

ଅନ୍ୟପକ୍ଷରେ ପୁଣେ ଜିଲ୍ଲା କୋର୍ଟ ଅଭିଯୁକ୍ତ ନାବାଳକର ବାପା ଏବଂ ଜେଜେବାପାଙ୍କ ନ୍ୟାୟିକ ହାଜତ ମିଆଦକୁ ମେ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ନାବାଳକର‌ ବାପା ପୁଣେର ଜଣେ ଜଣାଶୁଣା ରିଅଲ୍ ଇଷ୍ଟେଟ୍ ଡିଲର୍ ।

କ୍ରାଇମ ବ୍ରାଞ୍ଚ ପୁଣେ ପୋର୍ସ କାର୍ ଦୁର୍ଘଟଣାର ତଦନ୍ତ କରୁଛି। ମେ ୧୯ ତାରିଖ ରାତିରେ ୧୭ ବର୍ଷୀୟ ନାବାଳକ ଦ୍ରୁତ ଗତିରେ ପୋର୍ସ କାର ଚଳାଇ ଯାଉଥିବା ବେଳେ ପୁଣେର କଲ୍ୟାଣନଗର ଅଞ୍ଚଳରେ ଦୁଇଜଣ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁହେଁ ଆଇଟି ପ୍ରଫେସନାଲ ଥିଲେ। ନାବାଳକ ମଦ ପିଇ ଡ୍ରାଇଭିଂ କରିଥିବା ଅଭିଯୋଗ ହୋଇଥିଲା।

ଜୁଭେନାଇଲ ଜଷ୍ଟିସ ବୋର୍ଡ ଦୁର୍ଘଟଣାର ମାତ୍ର ୧୫ ଘଣ୍ଟା ଭିତରେ ନାବାଳକ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଥିଲେ ।​ ସଡ଼କ ଦୁର୍ଘଟଣା ସମ୍ପର୍କରେ ଏକ ପ୍ରବନ୍ଧ ଲେଖିବା ସର୍ତ୍ତରେ ନାବାଳକକୁ ଜାମିନ ଦେଇଥିଲେ କୋର୍ଟ। ତେବେ କୋର୍ଟଙ୍କ ରାୟ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୋଲିସ ପୁନର୍ବିଚାର ଆବେଦନ ଦାୟର କରିଥିଲା । ଏହାପରେ ନାବାଳକ ଅଭିଯୁକ୍ତର ଜାମିନ ରଦ୍ଦ କରି କୋର୍ଟ ତାକୁ ଜୁନ୍ ୫ ଯାଏଁ ବାଳ ସୁଧାର ଗୃହକୁ ପଠାଇ ଦେଇଥିଲେ।