ପଞ୍ଜାବ: ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବିଧାନସଭାରେ ବିଶ୍ବାସ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ | News Room Odisha

ପଞ୍ଜାବ: ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବିଧାନସଭାରେ ବିଶ୍ବାସ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଙ୍ଗଳବାର ରାଜ୍ୟ ବିଧାନସଭାରେ ବିଶ୍ବାସ ପ୍ରସ୍ତାବ ଆଗତ କରିଛନ୍ତି।

ବାଚସ୍ପତି କୁଲତର ସିଂ ସାନ୍ଧୱା ଏହି ଘୋଷଣା କରିବା କ୍ଷଣି
ଦୁଇ ବିଜେପି ବିଧାୟକ ଅଶ୍ୱିନୀ ଶର୍ମା ଏବଂ ଜଙ୍ଗୀ ଲାଲ ମହାଜନ ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକମାନେ ହୋହଲ୍ଲା ଆରମ୍ଭ କରିଥିଲେ ଓ ଆପ୍ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ । ଏହା ପରେ ବାଚସ୍ପତି ନିଜର କ୍ଷମତା ବ୍ୟବହାର କରି କଂଗ୍ରେସ ବିଧାୟକମାନଙ୍କୁ ଗୃହରୁ ବାହାର କରିବାକୁ ମାର୍ଶଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବାଚସ୍ପତି କୁଲତର ସିଂ ସାନ୍ଧୱା ସମସ୍ତ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। କଂଗ୍ରେସ ବିଧାୟକ ‘ପଞ୍ଜାବ ସରକାର ମୁର୍ଦ୍ଦାବାଦ’ ଏବଂ ‘ବାଚସ୍ପତି ସାହିବ ମୁର୍ଦ୍ଦାବାଦ’ ସ୍ଲୋଗାନ ଦେଇ ବାହାରକୁ ଆସିଥିଲେ।

ବିଧାନସଭାରେ ବିରୋଧୀ ଦଳର ନେତା ପ୍ରତାପ ସିଂ ବାଜୱା କହିଛନ୍ତି ଯେ ରାଜ୍ୟପାଳ ବିଶ୍ବାସ ପ୍ରସ୍ତାବକୁ ଅନୁମୋଦନ କରିନାହାଁନ୍ତି । ଏଭଳି ସ୍ଥଳେ ପଞ୍ଜାବ ସରକାର କାହିଁକି ଏହି ପ୍ରସ୍ତାବ ଆଣୁଛନ୍ତି? ସେ ଏହି ବିଶ୍ବାସ ପ୍ରସ୍ତାବକୁ ଅସାମ୍ବିଧାନିକ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଆମ୍ ଆଦମୀ ପାର୍ଟି ଦାବି କରିଥିଲା ଯେ ‘ଅପରେସନ୍ ଲୋଟସ୍’ ମାଧ୍ୟମରେ ବିଜେପି ପଞ୍ଜାବରେ ଶାସକ ଦଳର ବିଧାୟକ ମାନଙ୍କୁ କିଣିବାକୁ ଉଦ୍ୟମ କରୁଛି । ଦଳର ଏକତା ପ୍ରମାଣିତ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଶାସକ ଆମ୍ ଆଦମୀ ପାର୍ଟି ସରକାର ସପକ୍ଷରେ ଆସ୍ଥା ଭୋଟ୍ ଗୃହୀତ କରିବାକୁ ସେପ୍ଟେମ୍ବର ୨୨ରେ ବିଧାନସଭାରେ ଏକ ବୈଠକ ଡାକିଥିଲେ । କିନ୍ତୁ କିଛି ବିରୋଧୀଦଳ ନେତା ଆପତ୍ତି ଉଠାଇବା ପରେ ପଞ୍ଜାବ ରାଜ୍ୟପାଳ ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ପାଇଁ ଅନୁମତି ପ୍ରତ୍ୟାହାର କରିନେଇଥିଲେ ।

ବିଧାନସଭା ଅଧିବେଶନ ଡାକରାକୁ ନେଇ ରାଜ୍ୟପାଳ ଏବଂ ଆପ୍ ସରକାର ମଧ୍ୟରେ ଟଣାଓଟରା ଜାରି ରହିଥିଲା। ଶେଷରେ ରବିବାର ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ଶାସକ ଦଳ ଦାବି ଆଗରେ ମୁଣ୍ଡ ନୁଆଁଇଥିଲେ । ପୁରୋହିତ ସେପ୍ଟେମ୍ବର ୨୭ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ସରକାର ଏହି ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ବିଶ୍ବାସ ପ୍ରସ୍ତାବ ଅଣାଯିବ ବୋଲି କହିନଥିଲେ ।