ଗୁରପ୍ରୀତ କୌରଙ୍କ ହାତ ଧରିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ | News Room Odisha

ଗୁରପ୍ରୀତ କୌରଙ୍କ ହାତ ଧରିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ହାତକୁ ଦି’ ହାତ ହୋଇଛନ୍ତି । ଆଜି ଗୁରପ୍ରୀତ କୌରଙ୍କ ସହ ମାନ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ନିରାଡ଼ମ୍ବର ଉତ୍ସବରେ ଏବଂ ସୀମିତ ଅତିଥିଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି ।

ଭଗଓ୍ବନ୍ତ ମାନଙ୍କ ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସହ ଦଳର ରାଜ୍ୟସଭା ସାଂସଦ ରାଘବ ଚଢା ମଧ୍ୟ ଯୋଗ ଦେଇଥିଲେ।

ଭଗଓ୍ବନ୍ତ ମାନଙ୍କ ପତ୍ନୀ ଗୁରପ୍ରୀତ କୌରଙ୍କ ପରିବାର ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାର ପେହୋୱା ନଗରର‌ ବାସିନ୍ଦା । ଗୁରପ୍ରୀତ ପେଶାରେ ଜଣେ ଡାକ୍ତର । ସେ ମହାରାଣୀ ମାର୍କେଣ୍ଡେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରୁ ଏମବିବିଏସ୍ ଡିଗ୍ରୀ ହାସଲ କରିଛନ୍ତି।

ଭଗଓ୍ବନ୍ତ ମାନଙ୍କ ଏହା ଦ୍ବିତୀୟ ବିବାହ । ତାଙ୍କର ପ୍ରଥମ ପତ୍ନୀଙ୍କ ସହ ୬ ବର୍ଷ ତଳେ ବିବାହ ବିଚ୍ଛେଦ ଘଟିଥିଲା । ପ୍ରଥମ ବିବାହରୁ ଭଗଓ୍ବନ୍ତ ମାନଙ୍କ ଦୁଇଟି ସନ୍ତାନ ଅଛନ୍ତି ଓ ସେମାନେ ତାଙ୍କ ମାଆଙ୍କ ସହ ଆମେରିକାରେ ରୁହନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ବନ୍ତ ମାନଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପ୍ରଥମ ପତ୍ନୀଙ୍କ ସହ ଦୁଇ ସନ୍ତାନ ଯୋଗ ଦେଇଥିଲେ।

ଭଗଓ୍ବନ୍ତ ମାନ୍ ପୁଣି ସଂସାର ଗଢ଼ନ୍ତୁ ବୋଲି ତାଙ୍କ ମାଆ କୁଆଡ଼େ ଚାହୁଁଥିଲେ । ମା’ଙ୍କ ଇଚ୍ଛା ପୂରଣ କରିବା ପାଇଁ ମାନ୍ ଦ୍ବିତୀୟ ବିବାହ କରିବାକୁ ରାଜି ହୋଇଥିଲେ । ଭଗଓ୍ବନ୍ତ ମାନଙ୍କ ପାଇଁ କନ୍ୟା ମଧ୍ୟ ତାଙ୍କ ମା’ ଓ ଭଉଣୀ ହିଁ ଠିକ୍ କରିଥିଲେ ।