କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ବାହାଘର, ଡଃ ଗୁରପ୍ରୀତ କୌରଙ୍କୁ କରିବେ ବିବାହ | News Room Odisha

କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ବାହାଘର, ଡଃ ଗୁରପ୍ରୀତ କୌରଙ୍କୁ କରିବେ ବିବାହ

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂହ ମାନ୍ ପୁଣି ଥରେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଆସନ୍ତାକାଲି ତଥା ଗୁରୁବାର ଚଣ୍ଡିଗଡ଼ର ଡକ୍ଟର ଗୁରପ୍ରୀତ କୌରଙ୍କୁ ବିବାହ କରିବେ ।

ଭଗଓ୍ବନ୍ତ ମାନଙ୍କ ଏହା ଦ୍ବିତୀୟ ବିବାହ ହେବ । ପ୍ରଥମ ପତ୍ନୀଙ୍କ ସହ ୬ ବର୍ଷ ପୂର୍ବେ ମାନଙ୍କ ବିବାହ ବିଚ୍ଛେଦ ଘଟିଥିଲା । ପ୍ରଥମ ବିବାହରୁ ଭଗଓ୍ବନ୍ତ ମାନଙ୍କ ଦୁଇଟି ସନ୍ତାନ ଅଛନ୍ତି ଓ ସେମାନେ ତାଙ୍କ ମାଆଙ୍କ ସହ ଆମେରିକାରେ ରୁହନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ବନ୍ତ ମାନଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପ୍ରଥମ ପତ୍ନୀଙ୍କ ସହ ଦୁଇ ସନ୍ତାନ ଯୋଗ ଦେଇଥିଲେ।

ଭଗଓ୍ବନ୍ତ ମାନ୍ ପୁଣି ତାଙ୍କ ସଂସାର ଗଢ଼ନ୍ତୁ ବୋଲି ତାଙ୍କ ମାଆ କୁଆଡ଼େ ଚାହୁଁଥିଲେ । ମା’ଙ୍କ ଇଚ୍ଛା ପୂରଣ କରିବା ପାଇଁ ମାନ୍ ଦ୍ବିତୀୟ ବିବାହ କରିବାକୁ ରାଜି ହୋଇଛନ୍ତି । ଭଗଓ୍ବନ୍ତ ମାନଙ୍କ ପାଇଁ କନ୍ୟା ମଧ୍ୟ ତାଙ୍କ ମା’ ଓ ଭଉଣୀ ହିଁ ଠିକ୍ କରିଛନ୍ତି।

ବିବାହ ରୀତିନୀତି ମଧ୍ୟ ନିରାଡ଼ମ୍ବର ଭାବେ ଘରୋଇ ସମାରୋହରେ ସମ୍ପନ୍ନ କରାଯିବ ଏବଂ କେବଳ ପରିବାର ସଦସ୍ୟ ହିଁ ଏହି ବିବାହ ଉତ୍ସବରେ ଯୋଗଦେବେ | ଏହାଛଡ଼ା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ଆସିବେ।