ବିରୋଧ ସତ୍ତ୍ଵେ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍ | News Room Odisha

ବିରୋଧ ସତ୍ତ୍ଵେ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍

ଚଣ୍ଡିଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ଆଜି ମାନସା ଜିଲ୍ଲା ମୁସେ ଗାଁରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସେ ସିଦ୍ଧୁ ମୁସେୱାଲାଙ୍କ ପିତା ଏବଂ ମାତାଙ୍କୁ ସାନ୍ତ୍ୱନା ଦେଇଥିଲେ।

ତାଙ୍କ ସୁରକ୍ଷା ପ୍ରତ୍ୟାହାର ହେବାର ଦିନକ ପରେ ରବିବାର ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ମୁସେୱାଲା ମଧ୍ୟ ଜଣେ କଂଗ୍ରେସ ନେତା ଥିଲେ।

ଭଗଓ୍ବନ୍ତ ମାନଙ୍କ ଗସ୍ତ ପୂର୍ବରୁ ମୁସେଓ୍ବାଲାଙ୍କ ବହୁ ସଂଖ୍ୟକ ସମର୍ଥକ ତାଙ୍କ ବାସଭବନରେ ଏକାଠି ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ । କିନ୍ତୁ ବିରୋଧ ସତ୍ତ୍ୱେ ଭଗଓ୍ବନ୍ତ ମାନ୍ ତାଙ୍କ ପରିବାରକୁ ଭେଟିଥିଲେ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା।

ମାନଙ୍କ ପୂର୍ବରୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବାକୁ ଆସିଥିବା ଆମ୍ ଆଦମୀ ପାର୍ଟିର ବିଧାୟକ ଗୁରୁପ୍ରୀତ ବାନାୱାଲି ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ମୁସେଓ୍ବାଲାଙ୍କ ଘର ଦ୍ୱାରରୁ ହିଁ ଫେରାଇ ଦେଇଥିଲେ।

ଗତ ରବିବାର ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ନାମକ ଏକ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲେ।