ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ଅନ୍ୟ ଜଣେ ମହିଳାଙ୍କ ସହ ରହିବା 'ଲିଭ୍-ଇନ୍' ସମ୍ପର୍କ ନୁହେଁ: ହାଇକୋର୍ଟ | News Room Odisha

ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ଅନ୍ୟ ଜଣେ ମହିଳାଙ୍କ ସହ ରହିବା ‘ଲିଭ୍-ଇନ୍’ ସମ୍ପର୍କ ନୁହେଁ: ହାଇକୋର୍ଟ

ଚଣ୍ଡିଗଡ଼: ଲିଭ୍ ଇନ୍ ସମ୍ପର୍କ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । କୋର୍ଟ କହିଛନ୍ତି ଯେ ଯଦି ଜଣେ ପୁରୁଷ ନିଜ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଅନ୍ୟ ଜଣେ ମହିଳାଙ୍କ ସହିତ ‘କାମନାପୂର୍ଣ୍ଣ ଓ ବ୍ୟଭିଚାରୀ’ ଜୀବନଯାପନ କରୁଛନ୍ତି, ତେବେ ତାହାକୁ ‘ଲିଭ୍-ଇନ୍-ରିଲେସନସିପ୍’ ବା ବିବାହ ଭଳି ସମ୍ପର୍କ କୁହାଯାଇପାରିବ ନାହିଁ |

ଜଷ୍ଟିସ୍ କୁଲଦୀପ ତିୱାରୀଙ୍କ ଜଣିକିଆ ଖଣ୍ଡପୀଠ ପଞ୍ଜାବର ଏକ ଦମ୍ପତିଙ୍କ ଆବେଦନକୁ ଖାରଜ କରି ଏପରି ମତବ୍ୟକ୍ତ କରିଥିଲେ। ଦମ୍ପତି ନିଜ ଜୀବନ ଓ ସ୍ୱାଧୀନତାର ସୁରକ୍ଷା ଲୋଡିଥିଲେ।

ଆବେଦନକାରୀ ଦମ୍ପତି ଅଭିଯୋଗ କରିଥିଲେ ଯେ ସେମାନେ ଏକ ‘ଲିଭ୍-ଇନ୍-ରିଲେସନସିପ୍’ରେ ଅଛନ୍ତି । କିନ୍ତୁ ମହିଳାଙ୍କ ପରିବାର ଲୋକ ଏହାକୁ ବିରୋଧ କରୁଛନ୍ତି ଓ ସେମାନଙ୍କୁ ହତ୍ୟା ଧମକ ଦେଉଛନ୍ତି।

ଶୁଣାଣି ସମୟରେ କୋର୍ଟ କହିଥିଲେ ‘ଲିଭ୍-ଇନ୍-ରିଲେସନସିପ୍’ରେ ଥିବା ମହିଳା ଅବିବାହିତ କିନ୍ତୁ ପୁରୁଷ ବିବାହିତ । ସମ୍ପର୍କରେ ତିକ୍ତତା କାରଣରୁ ପୁରୁଷ ଜଣକ ତାଙ୍କ ପତ୍ନୀଙ୍କଠାରୁ ଅଲଗା ରହୁଛନ୍ତି।

‘ଲିଭ୍-ଇନ୍-ରିଲେସନସିପ୍’ରେ ଥିବା ଏହି ପୁରୁଷ ଏବଂ ତାଙ୍କ ପତ୍ନୀଙ୍କର ଦୁଇଟି ସନ୍ତାନ ଅଛନ୍ତି, ଯେଉଁମାନେ ସେମାନଙ୍କ ମାଆ ସହିତ ରୁହନ୍ତି।

ପ୍ରଥମ ପତି/ପତ୍ନୀଙ୍କ ଠାରୁ ଛାଡପତ୍ରର କୌଣସି ବୈଧ (କୋର୍ଟ) ଆଦେଶନାମା ନ ପାଇ ଏବଂ ତାଙ୍କ ପୂର୍ବ ବିବାହର ଅସ୍ତିତ୍ବ ସମୟରେ ଆବେଦନକାରୀ ନମ୍ବର ୨ (ଲିଭ୍-ଇନ୍ ରିଲେସନସିପରେ ପୁରୁଷ), ଆବେଦନକାରୀ ନମ୍ବର ୧ ସହିତ କାମନାପୂର୍ଣ୍ଣ ଏବଂ ବ୍ୟଭିଚାରୀ ଜୀବନଯାପନ କରୁଛନ୍ତି ।

ହାଇକୋର୍ଟ କହିଥିଲେ, ଏପରି ସମ୍ପର୍କ ଆଇପିସିର ଧାରା ୪୯୪/୪୯୫ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇପାରେ, କାରଣ ଏପରି ସମ୍ପର୍କ ବିବାହ ଶ୍ରେଣୀଭୁକ୍ତ ନୁହେଁ ।

ଜୀବନ ପ୍ରତି ବିପଦ ଥିବା ନେଇ ଲିଭ୍ ଇନ୍ ଦମ୍ପତି କରିଥିବା ଅଭିଯୋଗ ମଧ୍ୟ ଅମୂଳକ‌ ବୋଲି ହାଇକୋର୍ଟ କହିଥିଲେ। କାରଣ ଏଭଳି ଅଭିଯୋଗ ସାବ୍ୟସ୍ତ କରିବା ପାଇଁ ଆବେଦନକାରୀ କୌଣସି ପ୍ରମାଣ ଦେଇନଥିଲେ କି ହତ୍ୟା ଧମକ ନେଇ ମଧ୍ୟ ବିସ୍ତୃତ ବିବରଣୀ ପ୍ରଦାନ କରିନଥିଲେ ।

ହଇକୋର୍ଟ କହିଥିଲେ, ବ୍ୟଭିଚାର ଅଭିଯୋଗରେ କୌଣସି ଅପରାଧିକ ମାମଲା ଏଡ଼ାଇବା ପାଇଁ ଏହି ଆବେଦନ କରାଯାଇଛି। ଆବେଦନକାରୀଙ୍କ ମୂଳ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ଲିଭ୍ ଇନ୍ ସମ୍ପର୍କ ପାଇଁ ଆଇନଗତ ସ୍ବୀକୃତି‌ ହାସଲ କରିବା। ଲିଭ୍ ଇନ୍ ଦମ୍ପତିଙ୍କ ଯୁକ୍ତିରେ କୌଣସି ଆଧାର ନଥିବା ଦର୍ଶାଇ ହାଇକୋର୍ଟ ସେମାନଙ୍କ ଆବେଦନ ଖାରଜ କରିଥିଲେ ।