ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଟିନଙ୍କ ଘୋଷଣା, ୟୁକ୍ରେନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିବ ରୁଷ୍, ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ | News Room Odisha

ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଟିନଙ୍କ ଘୋଷଣା, ୟୁକ୍ରେନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିବ ରୁଷ୍, ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ୍ ମନ ବଳାଇ ସାରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଟେଲିଭିଜନ ମାଧ୍ୟମରେ ଦେଶକୁ ସମ୍ବୋଧନ କରି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଛନ୍ତି । ପୁଟିନଙ୍କ ଘୋଷଣା ପରେ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇପଡିଛି । ରୁଷ୍ ପକ୍ଷରୁ ଆକ୍ରମଣ ଆଶଙ୍କା ମଧ୍ୟରେ ୟୁକ୍ରେନ ଦେଶବ୍ୟାପୀ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି। ଏହି ସମୟରେ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ବିରୋଧରେ ଅନେକ କଟକଣା ଘୋଷଣା କରିଥିଲେ ମଧ୍ୟ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବା ମୁଡ୍ ରେ ଥିବା ସ୍ପଷ୍ଟ ହୋଇଛି। ମସ୍କୋ ୟୁକ୍ରେନରେ ନିଜ ଦୂତାବାସ ଗୁଡ଼ିକ ଖାଲି କରିସାରିଛି। ୟୁକ୍ରେନର ସାଂସଦମାନେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଲାଗୁ କରିବାକୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କିଙ୍କ ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି, ଯାହା ଗୁରୁବାର ଠାରୁ ୩୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ୟୁକ୍ରେନ ଉପରେ ଜରୁରୀ ଅଧିବେଶନ ଡାକିଛି। ୟୁକ୍ରେନ ଉପରେ ଆଲୋଚନା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏହି ସପ୍ତାହରେ ଦ୍ୱିତୀୟ ଥର ଲାଗି ବୈଠକ ହେବ।

ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ସୀମା ନିକଟରେ ମୁତୟନ ହୋଇଥିବା ରୁଷୀୟ ସୈନ୍ୟମାନେ ନିର୍ଦ୍ଦେଶ ମିଳିବା କ୍ଷଣି ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ ଜଣଙ୍କ କହିଛନ୍ତି ଯେ ୮୦% ଫୋର୍ସ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ହୋଇ ଅଛନ୍ତି ଏବଂ ସୀମାଠାରୁ ପାଞ୍ଚରୁ ୫୦ କିଲୋମିଟର ଦୂରତାରେ ମୁତୟନ ହୋଇଛନ୍ତି। ସେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ନିଶ୍ଚିତ କରିପାରିବୁ ନାହିଁ ଯେ ରୁଷର ସୈନ୍ୟବାହିନୀ ଡୋନେବାସରେ ପ୍ରବେଶ କରିଛନ୍ତି (ୟୁକ୍ରେନର ବିଦ୍ରୋହୀଙ୍କ କବଜାରେ ଥିବା ଅଞ୍ଚଳ) କି ନୁହେଁ।

ମିଳିତ ଜାତିସଂଘରେ ରୁଷର ରାଷ୍ଟ୍ରଦୂତ ୟୁକ୍ରେନର ପୂର୍ବ ବିଚ୍ଛିନ୍ନତାବାଦୀ ଅଞ୍ଚଳରେ ୟୁକ୍ରେନର କ୍ରମାଗତ ଦମନ ଏବଂ “ନରସଂହାର” ରୋକିବାରେ ସହାୟତା କରିବାକୁ ସାରା ବିଶ୍ୱକୁ ଅନୁରୋଧ କରିଛନ୍ତି। ମିଳିତ ଜାତିସଂଘରେ ରୁଷର ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିଆ ବୁଧବାର ମିଳିତ ଜାତିସଂଘର ସାଧାରଣ ସଭାରେ କହିଥିଲେ ଯେ ଯେଉଁମାନେ ୟୁକ୍ରେନର ପୂର୍ବ ଅଞ୍ଚଳରେ ଶାନ୍ତି ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପ୍ରତି ଦୟା ଦେଖାଇବା ପାଇଁ କୌଣସି କାରଣ ନାହିଁ। ସେ କହିଛନ୍ତି ଯେ ଲୁହାଂସ୍କ ଏବଂ ଡୋନେସ୍କରୁ ରୁଷକୁ ହଜାର ହଜାର ଲୋକଙ୍କ ଆଗମନ ଦର୍ଶାଉଛି ଯେ ୟୁକ୍ରେନ ସେମାନଙ୍କୁ ଅସମ୍ମାନ କରୁଛି।

ରୁଷର ସରକାରୀ ନ୍ୟୁଜ୍ ଏଜେନ୍ସି ‘ତାସ୍’ କହିଛି ଯେ ମସ୍କୋ ୟୁକ୍ରେନରେ ଥିବା ଦୂତାବାସ ଖାଲି କରିଛି। ସେପଟେ ୟୁକ୍ରେନ ମଧ୍ୟ ନିଜ ନାଗରିକମାନଙ୍କୁ ରୁଷ ଛାଡିବାକୁ କହିଛି।