ମସ୍କୋ: ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ୟୁକ୍ରେନର ଦୁଇ ବିଦ୍ରୋହୀ ତଥା ବିଚ୍ଛିନ୍ନତାବାଦୀ ଅଞ୍ଚଳ ଡୋନେସ୍କ ଏବଂ ଲୁଗାନସ୍କକୁ ସ୍ବାଧୀନ ଅଞ୍ଚଳ ଭାବେ ମାନ୍ୟତା ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡିକର କଟକଣା ଚେତାବନୀ ସତ୍ତ୍ବେ ରାଷ୍ଟ୍ରାୟତ୍ତ ଟେଲିଭିଜନରେ ପ୍ରସାରିତ ଏକ ଭାବପ୍ରବଣ ଭାଷଣରେ ରୁଷର ରାଷ୍ଟ୍ରପତି ଏହି ଦୁଇ ଅଞ୍ଚଳର ସ୍ବାଧୀନତାକୁ ସ୍ୱୀକୃତି ଦେଇଛନ୍ତି। ରୁଷର ଏହି ପଦକ୍ଷେପ ଯୋଗୁଁ ୟୁକ୍ରେନ ସହ ଯୁଦ୍ଧ ଆଶଙ୍କା ବଢ଼ି ଯାଇଛି ।
ପୁଟିନ ଟେଲିଭିଜନରେ କହିଛନ୍ତି ଯେ, ମୋର ବିଶ୍ୱାସ ଡୋନେସ୍କ ପିପୁଲ୍ସ ରିପବ୍ଲିକ୍ ଏବଂ ଲୁଗାନ୍ସ୍ ପିପୁଲ୍ସ ରିପବ୍ଲିକର ସ୍ବାଧୀନତା ଏବଂ ସାର୍ବଭୌମତ୍ୱକୁ ତୁରନ୍ତ ସ୍ୱୀକୃତି ଦେବା ପାଇଁ ଏକ ସ୍ଥାୟୀ ନିଷ୍ପତ୍ତି ଆବଶ୍ୟକ। କ୍ରେମଲିନରେ ବିଦ୍ରୋହୀ ନେତାଙ୍କ ସହ ପାରସ୍ପରିକ ସହାୟତା ଚୁକ୍ତିନାମା ସ୍ୱାକ୍ଷର କରିବା ପୂର୍ବରୁ ରୁଷର ରାଷ୍ଟ୍ରପତି ଏହା କହିଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷର ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ସେ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ଜର୍ମାନ ଚାନସେଲରଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନ୍ର ରାଷ୍ଟ୍ରପତି ରୁଷ ବିରୋଧରେ ସମ୍ପୂର୍ଣ୍ଣ କଟକଣା ଆହ୍ବାନ କରିଛନ୍ତି ଏବଂ ଆନ୍ତର୍ଜାତୀୟ ସମର୍ଥନ ଲୋଡିଛନ୍ତି ।
ପୂର୍ବ ୟୁକ୍ରେନରେ ରୁଷ ଦ୍ୱାରା ନୂତନ ଭାବେ ସ୍ୱୀକୃତିପ୍ରାପ୍ତ ବିଦ୍ରୋହୀ ଅଞ୍ଚଳ ବିରୋଧରେ ଆମେରିକା ଆର୍ଥିକ ପ୍ରତିବନ୍ଧକ ଘୋଷଣା କରିଛି। ଆମେରିକାର ରାଷ୍ଟ୍ରପତି ଲୁଗାନସ୍କ, ଡୋନେସ୍କ ଉପରେ କଟକଣା ଲଗାଇଥିବାବେଳେ ତୁରନ୍ତ ରୁଷ ଉପରେ କଟକଣା ଲାଗୁ କରିନାହାଁନ୍ତି।
ଅନ୍ୟପଟେ ଆମେରିକା ଏବଂ ଫ୍ରାନ୍ସ ସମେତ ପାଶ୍ଚାତ୍ୟ ଦେଶ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକକୁ ଅନୁରୋଧ କରିଛନ୍ତି ଯେ ସହଯୋଗୀ ୟୁକ୍ରେନରେ ବିଚ୍ଛିନ୍ନତାବାଦୀ ଅଞ୍ଚଳର ରୁଷର ସ୍ୱୀକୃତିକୁ ବିରୋଧ କରିବେ। ୟୁକ୍ରେନ୍ର ମିଳିତ ଜାତିସଂଘକୁ ଲେଖିଥିବା ଚିଠିକୁ ଆଧାର କରି ଏହି ବ ବୈଠକ ପାଇଁ ଅନୁରୋଧ ପଛରେ ଥିବା ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ, ଆୟର୍ଲାଣ୍ଡ ଏବଂ ଆଲବେନିଆ ଅଛନ୍ତି।