ତୁର୍କୀ-ସିରିଆରେ ହାହାକାର ସ୍ଥିତି, ମୃତ୍ୟୁ ସଂଖ୍ୟା ୧୫,୦୦୦ ଟପିଲା | News Room Odisha

ତୁର୍କୀ-ସିରିଆରେ ହାହାକାର ସ୍ଥିତି, ମୃତ୍ୟୁ ସଂଖ୍ୟା ୧୫,୦୦୦ ଟପିଲା

ଇସ୍ତାନବୁଲ: ତୁର୍କୀ ଏବଂ ସିରିଆରେ ସୋମବାର ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ଅକଳ୍ପନୀୟ କ୍ଷତି ଓ ମୃତ୍ୟୁର ବିଭୀଷିକା ଆଣିଛି । ପ୍ରତି ସେକେଣ୍ଡରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ଏହି ଦୁଇ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ‌। ଚାରିଆଡ଼େ କେବଳ ଭୁଶୁଡ଼ି ପଡିଥିବା କୋଠା ଗୁଡ଼ିକର ଧ୍ବଂସାବଶେଷ ଓ କୁଢ଼ କୁଢ଼ ଶବ ଦେଖିବାକୁ ମିଳୁଛି । ମୃତ୍ୟୁ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଉଭୟ ଦେଶରେ ମୃତ୍ୟୁସଂଖ୍ୟା ୧୫,୦୦୦ ଟପିଛି । ଆହତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ । ଏହାଛଡ଼ା ମାଟିରେ ମିଶିଥିବା ହଜାର ହଜାର କୋଠା ତଳେ ଆହୁରି ଅନେକ ଲୋକ ଦବି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।

ତୁର୍କୀରେ ୧୨,୩୯୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୨,୯୧୪ ଜଣ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସିରିଆରେ ଏଯାବତ୍ ୩,୪୮୬ ଜଣ ପ୍ରାଣ ହରାଇଛନ୍ତି ଓ ୫,୨୪୭ ଲୋକ ଆହତ ହୋଇଛନ୍ତି ।

ଭୂକମ୍ପ ପ୍ରଭାବିତ ଏହି ଦେଶକୁ ଅନ୍ତର୍ଜାତୀୟ ସହାୟତା ମଧ୍ୟ ଜାରି ରହିଛି । ଭାରତ ସମେତ ୭୦ରୁ ଅଧିକ ଦେଶ ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି

ଅନ୍ୟପକ୍ଷରେ ବୁଧବାର (ଫେବୃଆରୀ ୮) ରେ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଆର୍ଦ୍ଦୋଆନ୍ ତାଙ୍କ ଦେଶର ଭୂକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି । ରାଷ୍ଟ୍ରପତି ଆର୍ଦ୍ଦୋଆନ ଭୂକମ୍ପ ପ୍ରଭାବିତ ୧୦ ପ୍ରଦେଶରେ ତିନି ମାସ ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ।