ଟେଷ୍ଟ କ୍ରିକେଟରୁ କ୍ୱିଣ୍ଟନ୍ ଡି' କକଙ୍କ ଅଚାନକ ଅବସର | News Room Odisha

ଟେଷ୍ଟ କ୍ରିକେଟରୁ କ୍ୱିଣ୍ଟନ୍ ଡି’ କକଙ୍କ ଅଚାନକ ଅବସର

ଜୋହାନ୍ସବର୍ଗ: ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ଠାରୁ ହାରିବା ପରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର୍ ଖେଳାଳି ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ହଠାତ୍ ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଭାରତ ବିପକ୍ଷ ସେଞ୍ଚୁରିଅନ୍ ଟେଷ୍ଟରେ ୨୯ ବର୍ଷୀୟ ଡି’ କକ୍ ଦକ୍ଷିଣ ଆଫ୍ରିକା ଦଳର ଅଂଶ ଥିଲେ। ସେ ଏହି ଟେଷ୍ଟର ପ୍ରଥମ ଇନିଂସରେ ୩୪ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୨୧ ରନ୍ ସଂଗ୍ରହ କରିଥିଲେ |

ଡି’ କକ୍ ଦକ୍ଷିଣ ଆଫ୍ରିକା ପାଇଁ ଦିନିକିଆ ଏବଂ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ | ସେ ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ଫର୍ମାଟରେ ସେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ମଧ୍ୟ ରହିଥିଲେ। ତେବେ ଦଳର ଖରାପ ପ୍ରଦର୍ଶନ ପରେ ସେ ଅଧିନାୟକତ୍ୱ ଛାଡି ଦେଇଥିଲେ।

କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏକ ବିବୃତ୍ତିରେ କହିଛି ଯେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍ ତାଙ୍କ ପରିବାର ସହିତ ଅଧିକ ସମୟ ଅତିବାହିତ କରିବାର ଉଦ୍ଦେଶ୍ୟ ଦର୍ଶାଇ ଟେଷ୍ଟ କ୍ରିକେଟ୍ ରୁ ଅବସର ଗ୍ରହଣ କରିବାକୁ ଘୋଷଣା କରିଛନ୍ତି।

ଡି’କକ୍ ଦକ୍ଷିଣ ଆଫ୍ରିକା ପାଇଁ ମୋଟ ୫୪ ଟେଷ୍ଟ ଖେଳିଛନ୍ତି। ସେ ୩୮.୮୨ ଆଭରେଜରେ ୩୩୦୦ ରନ୍ କରିଛନ୍ତି | ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ମୋଟ ୬ଟି ଶତକ ଏବଂ ୨୨ ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୪୧ ରନ୍।