କୋର୍ଟରୁ ମିଳିଲାନି ଆଶ୍ବସ୍ତି, ସରକାରୀ ବଙ୍ଗଳା ଖାଲି କରିବେ ରାଘବ ଚଢ଼ା | News Room Odisha

କୋର୍ଟରୁ ମିଳିଲାନି ଆଶ୍ବସ୍ତି, ସରକାରୀ ବଙ୍ଗଳା ଖାଲି କରିବେ ରାଘବ ଚଢ଼ା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଦିଲ୍ଲୀରେ ତାଙ୍କ ଟାଇପ୍-୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିପାରେ । ବଙ୍ଗଳା ଖାଲି କରିବା ପାଇଁ ରାଜ୍ୟସଭା ସଚିବାଳୟର ନିର୍ଦ୍ଦେଶ ଉପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ପ୍ରତ୍ୟାହାର କରିନେଇଛନ୍ତି ।

କୋର୍ଟ କହିଛନ୍ତି ଯେ ସାଂସଦ ଭାବେ ରାଘବ ଚଢ଼ାଙ୍କୁ ବିଶେଷାଧିକାର ସ୍ବରୂପ ଟାଇପ୍-୭ ବଙ୍ଗଳା ଆବଣ୍ଟନ କରାଯାଇଥିଲା । କିନ୍ତୁ ବଙ୍ଗଳାରେ ରହିବାର ତାଙ୍କ ଅଧିକାର ରହିଛି ବୋଲି ସେ ଦାବି କରିପାରିବେ ନାହିଁ। ମାର୍ଚ୍ଚ ୩ରେ ରାଜ୍ୟସଭା ସଚିବାଳୟ ଆପ୍ ସାଂସଦ ଚଢ଼ାଙ୍କୁ ଟାଇପ୍-୭ ସରକାରୀ ବଙ୍ଗଳା ଆବଣ୍ଟନ ରଦ୍ଦ କରିବା ସହ ତାଙ୍କୁ ଏହି ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି କରିଥିଲା ।

ଚଢ଼ା ଏହା ବିରୋଧରେ କୋର୍ଟକୁ ଯାଇଥିଲେ । ସେ ଯୁକ୍ତି ବାଢ଼ିଥିଲେ ଯେ ସାଂସଦ ଭାବେ ତାଙ୍କର ଆହୁରି ଚାରି ବର୍ଷରୁ ଅଧିକ କାର୍ଯ୍ୟକାଳ ବାକି ଅଛି। ଏଭଳି ସ୍ଥିତିରେ ସରକାରୀ ବଙ୍ଗଳାରେ ରହିବାର ତାଙ୍କର ଅଧିକାର ଅଛି। ତେବେ କୋର୍ଟ ତାଙ୍କ ଯୁକ୍ତି ଖାରଜ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଘବ ଚଢ଼ା ଏକ ବୟାନରେ କହିଛନ୍ତି – ରାଜ୍ୟସଭାର ୭୦ ବର୍ଷର ଊର୍ଦ୍ଧ୍ବ ଇତିହାସରେ ପ୍ରଥମ ଥର ପାଇଁ ଜଣେ ରାଜ୍ୟସଭା ସଦସ୍ୟଙ୍କୁ ତାଙ୍କ ଆବଣ୍ଟିତ ବାସଭବନରୁ ହଟାଯାଇଛି । ଏହାକୁ ସେ ବିଜେପିର ଷଡ଼ଯନ୍ତ୍ର ବୋଲି କହିଛନ୍ତି ।

ରାଜ୍ୟସଭା ସାଂସଦ ଭାବେ ରାଘବ ଚଢ଼ାଙ୍କୁ ୨୦୨୨ରେ ପାଣ୍ଡାରା ରୋଡ୍ ସ୍ଥିତ ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଥିଲା। ଏହା ଏକ ପ୍ରକାର ଟାଇପ୍-୭ ବଙ୍ଗଳା। ତେବେ ତାଙ୍କ ଅଧିକାର ଅପେକ୍ଷା ଏହା ଅପେକ୍ଷାକୃତ ହାଇ ପ୍ରୋଫାଇଲ୍ ହୋଇଥିବାରୁ ମାର୍ଚ୍ଚ ୨୦୨୩ରେ ଚଢ଼ାଙ୍କୁ ଏହି ବଙ୍ଗଳା ଆବଣ୍ଟନ ବାତିଲ କରାଯାଇଥିଲା । ତାଙ୍କୁ ଅନ୍ୟ ଏକ ଟାଇପ୍-୬ ବଙ୍ଗଳା ଆବଣ୍ଟିତ ହୋଇଥିଲା ।

ରାଜ୍ୟସଭା ସଚିବାଳୟ ତରଫରୁ ରାଘବ ଚଢ଼ାଙ୍କୁ ଟାଇପ୍-୭ ବଙ୍ଗଳାରେ ରହିବା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ସଚିବାଳୟ କୋର୍ଟଙ୍କୁ କହିଥିଲେ ଯେ ପ୍ରଥମ ଥର ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଟାଇପ୍-୬ ବଙ୍ଗଳା ଆବଣ୍ଟିତ କରାଯାଏ ।

ଟାଇପ୍-୭ ବଙ୍ଗଳାରେ ରହିବାର ଅଧିକାର କେବଳ ସେହି ସାଂସଦମାନଙ୍କ ଅଛି ଯେଉଁମାନେ ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅବା ପୂର୍ବତନ ଲୋକସଭା ବାଚସ୍ପତି ଥିଲେ । ବିଜେପି ସାଂସଦ ରାଧା ମୋହନ ଦାସଙ୍କୁ ମଧ୍ୟ ଟାଇପ୍-୭ ବଙ୍ଗଳାରୁ ଟାଇପ୍-୫ ବଙ୍ଗଳାକୁ ପଠାଯାଇଥିଲା।