ବିସିସିଆଇ କେନ୍ଦ୍ରୀୟ ଚୁକ୍ତି: ରାହାଣେ, ପୂଜାରା ଓ ପାଣ୍ଡ୍ୟା ଗ୍ରେଡ୍-ଏ'ରୁ ବାଦ୍ ପଡ଼ିଲେ | News Room Odisha

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି: ରାହାଣେ, ପୂଜାରା ଓ ପାଣ୍ଡ୍ୟା ଗ୍ରେଡ୍-ଏ’ରୁ ବାଦ୍ ପଡ଼ିଲେ

ନୂଆଦିଲ୍ଲୀ: ଭାରତୀୟ ଦଳରୁ ବାଦ୍ ପଡିଥିବା ଦୁଇ ଭେଟେରାନ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଦରମା କମାଇଛି ବିସିସିଆଇ । ବିସିସିିଆଇ କେନ୍ଦ୍ରୀୟ ଚୁକ୍ତିରେ ପୂଜାରା ଓ ରାହାଣେ ଗ୍ରେଡ୍ ‘ଏ’ରୁ ବାଦ୍ ପଡିଛନ୍ତି । ଉଭୟଙ୍କୁ ଏବେ ଗ୍ରେଡ୍ ବି’ରେ ରଖାଯାଇଛି । ସେହିପରି ଫିଟନେସ୍ ସମସ୍ୟାରେ ଛନ୍ଦି ହୋଇପଡିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟ ପଦ ଅବନତି ହୋଇଛି । ପାଣ୍ଡ୍ୟାଙ୍କୁ ଗ୍ରେଡ୍ ‘ଏ’ରୁ ବାଦ୍ ଦିଆଯାଇ ଗ୍ରେଡ୍ ‘ବି’ରେ ରଖାଯାଇଛି । ଭେଟେରାନ ୱିକେଟକିପର ରିଦ୍ଧିମାନ ଶାହା ବି ଗ୍ରେଡ୍ ‘ଏ’ରୁ ‘ସି’କୁ ଖସିଛନ୍ତି ।

ସମ୍ପ୍ରତି ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ଚାରୋଟି ଗ୍ରେଡ୍ ‘ଏ ପ୍ଲସ୍‌, ଏ, ବି ଓ ସି ରହିଛି । ‘ଏ ପ୍ଲସ୍‌’ ଗ୍ରେଡରେ ରହିଥିବା ଖେଳାଳି ବାର୍ଷିକ ସର୍ବାଧିକ ୭ କୋଟି ଦରମା ପାଉଛନ୍ତି । ଏ’ ଗ୍ରେଡର ଖେଳାଳି ବାର୍ଷିକ ୫ କୋଟି ପାଉଥିବା ବେଳେ ‘ବି’ ଓ ‘ସି’ ଗ୍ରେଡରେ ଥିବା ଖେଳାଳିଙ୍କୁ ଯଥାକ୍ରମେ ୩ ଓ ୧ କୋଟି ଦରମା ମିଳିଥାଏ । ଫର୍ମ ଓ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କ ଗ୍ରେଡ୍ ନିର୍ଣ୍ଣୟ କରାଯାଇଥାଏ ।
ପୂଜାରା ଓ ରାହାଣେ ଦୀର୍ଘ ସମୟ ଧରି ଫର୍ମ ପାଇଁ ସଂଘର୍ଷ କରୁଥିଲେ । ଏଥିପାଇଁ ଉଭୟଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରୁ ବାଦ୍ ଦିଆଯାଇଥିଲା । ପୂଜାରା ୨୦୨୧ରୁ ଏଯାବତ ୧୬ଟି ଟେଷ୍ଟରେ ମାତ୍ର ୮୧୦ ରନ୍ କରିଥିଲେ । ତାଙ୍କର ଆଭରେଜ୍ ଥିଲା ମାତ୍ର ୨୭.୯୩ ଥିଲା ଓ ସେ ଏହି ସମୟ ମଧ୍ୟରେ ଗୋଟିଏ ବି ଶତକ ହାସଲ କରିପାରିନଥିଲେ । ରାହାଣେଙ୍କ ପ୍ରଦର୍ଶନ ମଧ୍ୟ ତଦ୍ରୁପ ଥିଲା । ରାହାଣେ ୨୦୨୧ରୁ ଏ ପର୍ଯ୍ୟନ୍ତ ୧୫ଟି ଟେଷ୍ଟ ଖେଳିଥିଲେ । ସେ ୨୦.୨୫ ହାରରେ କେବଳ ୫୪୭ ରନ୍ କରିଥିଲେ । ସେ ମଧ୍ୟ ଏହି ସମୟ ମଧ୍ୟରେ ଥରେ ବି ତିନି ଅଙ୍କ ସ୍କୋର କରିପାରିନଥିଲେ ।
ଅନ୍ୟପକ୍ଷେ ଏକଦା ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ଗଣାଯାଉଥିବା ହାର୍ଦ୍ଦିକଙ୍କ ଦରମା ମଧ୍ୟ କମାଇଛି ଭାରତୀୟ ବୋର୍ଡ । ପିଠି ଯନ୍ତ୍ରଣା ପରେ ତାଙ୍କ ପ୍ରଦର୍ଶନରେ କ୍ରମାଗତ ଅବନତି ଘଟିଛି । ଏହାଛଡା ସେ ଫିଟନେସ୍ ସମସ୍ୟାରେ ମଧ୍ୟ ଛନ୍ଦି ହୋଇପଡିଛନ୍ତି । ଏହି କାରଣରୁ ତାଙ୍କୁ ମଧ୍ୟ ଜାତୀୟ ଦଳରୁ ବାଦ୍ ଦିଆଯାଇଛି ।
ନିକଟରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରୁ ବାଦ୍ ପଡିଥିବା ଭେଟେରାନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହାଙ୍କ ବି ସଦ୍ୟତମ କେନ୍ଦ୍ରୀୟ ଚୁକ୍ତିରେ ଡିମୋସନ ହୋଇଛି । ଶାହା ଗ୍ରେଡ୍ ‘ଏ’ରୁ ‘ସି’କୁ ଖସିଛନ୍ତି । ସେହିପରି ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଉମେଶ ଯାଦବଙ୍କୁ ମଧ୍ୟ ଗ୍ରେଡ୍ ‘ଏ’ରୁ ବାଦ୍ ଦିଆଯାଇ ‘ସି’ରେ ରଖାଯାଇଛି । ସମ୍ପ୍ରତି କେବଳ ଧଳା ବଲ୍ କ୍ରିକେଟ୍ ଖେଳୁଥିବା ଭେଟେରାନ ଓପନର ଶିଖର ଧାୱନଙ୍କୁ ଗ୍ରେଡ୍ ‘ବି’କୁ ପଦୋନ୍ନତି ମିଳିଛି । ସ୍ପିନର ଅକ୍ଷର ପଟେଲ ଓ ମହମ୍ମଦ ସିରାଜଙ୍କ ବି ପଦୋନ୍ନତି ହୋଇଛି । ପଟେଲ ଓ ସିରାଜ ଗ୍ରେଡ୍ ‘ସି’ରୁ ‘ବି’କୁ ପଦୋନ୍ନତି ପାଇଛନ୍ତି ।
ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଷ୍ଟାର ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ସର୍ବୋଚ୍ଚ ଗ୍ରେଡ୍ ‘ଏ ପ୍ଲସ୍‌’ରେ ସ୍ଥାନ ବଜାୟ ରଖିଛନ୍ତି । ୱିକେଟକିପର ରିଷଭ ପନ୍ତଙ୍କ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, କେଏଲ୍ ରାହୁଲ, ମହମ୍ମଦ ସାମି ଓ ରବିଚନ୍ଦ୍ରନ ଅଶ୍ୱିନ ଗ୍ରେଡ୍ ‘ଏ’ରେ ଅଛନ୍ତି ।