ଉଦାହରଣ ସୃଷ୍ଟି କଲେ ରାହାଣେ: ବିପକ୍ଷ ଦଳର ବ୍ୟାଟରଙ୍କୁ ସ୍ଲେଜିଂ କରୁଥିବାରୁ ସାଥୀ ଖେଳାଳିଙ୍କୁ ପଡ଼ିଆରୁ ବିଦା କଲେ | News Room Odisha

ଉଦାହରଣ ସୃଷ୍ଟି କଲେ ରାହାଣେ: ବିପକ୍ଷ ଦଳର ବ୍ୟାଟରଙ୍କୁ ସ୍ଲେଜିଂ କରୁଥିବାରୁ ସାଥୀ ଖେଳାଳିଙ୍କୁ ପଡ଼ିଆରୁ ବିଦା କଲେ

କୋଏମ୍ବାଟୁର: କ୍ରିକେଟକୁ ‘ଭଦ୍ରଲୋକ’ଙ୍କ ଖେଳ କୁହାଯାଏ । ଆଉ ଏହି ଖେଳର ଜଣେ ଭଦ୍ର ଓ ଶୃଙ୍ଖଳିତ ଖେଳାଳି ଭାବେ ପରିଚିତ ଅଜିଙ୍କ୍ୟ ରାହାଣେ ପୁଣି ନିଜର ଏକ ଖେଳୁଆଡ ନିଷ୍ପତ୍ତି ପାଇଁ ପ୍ରଶଂସିତ ହୋଇଛନ୍ତି । ଦଲୀପ୍ ଟ୍ରଫି ଫାଇନାଲରେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ସ୍ଲେଜିଂ କରୁଥିବାରୁ ରାହାଣେ ତାଙ୍କ ସାଥୀ ଖେଳାଳି ଯଶସ୍ବୀ ଜୈସୱାଲଙ୍କୁ ପଡ଼ିଆରୁ ବାହାର କରିଦେଇଛନ୍ତି । ତାଙ୍କର ଏଭଳି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଘଟଣା ରବିବାର ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ଘଟିଥିଲା ।

ଦଲୀପ ଟ୍ରଫି ଫାଇନାଲରେ ରାହାଣେ ପଶ୍ଚିମାଞ୍ଚଳର ଅଧିନାୟକ ଦାୟିତ୍ବ ତୁଲାଇଥିଲେ । ପଶ୍ଚିମାଞ୍ଚଳର ଦ୍ୱିତୀୟ ଇନିଂସରେ ଦ୍ୱିଶତକ ହାସଲ କରି ଯଶସ୍ବୀ ଜୈସୱାଲ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ରବିବାର ଯେବେ ଦକ୍ଷିଣାଞ୍ଚଳ ୫୨୯ ରନ୍‌ର ଏକ ବୃହତ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିଲା ସେ ବିବାଦରେ ଛନ୍ଦି ହୋଇ ପଡିଥିଲେ। ୨୦ ବର୍ଷୀୟ ଜୈସଓ୍ବାଲ ଦକ୍ଷିଣାଞ୍ଚଳ ବ୍ୟାଟ୍ସମ୍ୟାନ୍ ରବି ତେଜାଙ୍କୁ ସ୍ଲେଜିଂ କରିଥିଲେ । ଯାହା ପରେ ତାଙ୍କ ଅଧିନାୟକ ରାହାଣେ ତାଙ୍କୁ ତାଗିଦ୍ କରିଥିଲେ ଓ ପଡ଼ିଆ ଛାଡିବାକୁ କହିଥିଲେ।

ଜୈସୱାଲ ବ୍ୟାଟ୍ସମ୍ୟାନଙ୍କ ନିକଟରେ ଫିଲ୍ଡିଂ କରୁଥିଲେ ଏବଂ ସେ ବାରମ୍ବାର ରବି ତେଜାଙ୍କୁ ସ୍ଲେଜିଂ କରୁଥିଲେ । ଏହାକୁ ନେଇ ରବି ତେଜା ଅଭିଯୋଗ କରିଥିଲେ। ଏନେଇ ରାହାଣେ ପ୍ରଥମେ ଜୈସୱାଲଙ୍କୁ ଚେତାବନୀ ଦେଇଥିଲେ । ଏହାପରେ ବି ସେ ବିଶୃଙ୍ଖଳାରେ ଲିପ୍ତ ରହିବାରୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ କହିଥିଲେ ରାହାଣେ ।

ଜୈସଓ୍ବାଲ ସାତ ଓଭର ପାଇଁ ପଡ଼ିଆ ବାହାରେ ରହିଥିଲେ ଏବଂ ପରେ ପଡ଼ିଆକୁ ଫେରିଥିଲେ। ପଶ୍ଚିମାଞ୍ଚଳ ଏହି ମ୍ୟାଚକୁ ୨୯୪ ରନରେ ଜିତି ଦଲୀପ୍ ଟ୍ରଫି ଚାମ୍ପିୟନ ହୋଇଥିଲା । ​​ଦ୍ବିଶତକୀୟ ଇନିଂସ୍ ପାଇଁ ଜୈସୱାଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ କରାଯାଇଥିଲା।

ରାହାନେ ପଡ଼ିଆରେ ସର୍ବଦା ନିଜର ଶୃଙ୍ଖଳା ପାଇଁ ପରିଚିତ | ଅଷ୍ଟ୍ରେଲିଆରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯେବେ ସେ ଭାରତୀୟ ଦଳର ନେତୃତ୍ଵ ନେଉଥିଲେ ସେତେବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ ବର୍ଣ୍ଣ ବୈଷମ୍ୟ ଆକ୍ଷେପର ସାମ୍ନା କରିଥିଲେ । ଏହା ବିରୋଧରେ ରାହାଣେ ସଙ୍ଗେ ସଙ୍ଗେ ମ୍ୟାଚ୍ ରେଫରିଙ୍କ ନିକଟରେ ଅଭିଯୋଗ କରିଥିଲେ।

ଜୈସଓ୍ବାଲଙ୍କ ସହ ଜଡିତ ଘଟଣା ସମ୍ପର୍କରେ ରାହାଣେ ମ୍ୟାଚ୍ ପରେ କହିଛନ୍ତି ଯେ, ମୁଁ ମୋର ପ୍ରତିଦ୍ୱନ୍ଦ୍ୱୀ, ଅମ୍ପାୟାର ଏବଂ ମ୍ୟାଚ୍ ଅଧିକାରୀଙ୍କୁ ସମ୍ମାନ ଦେବାରେ ସର୍ବଦା ବିଶ୍ୱାସ କରେ। ତେଣୁ ଆପଣଙ୍କୁ କିଛି ଘଟଣାର ନିର୍ଦ୍ଦିଷ୍ଟ ଉପାୟରେ ସାମ୍ନା କରିବାକୁ ପଡିବ। “