ଆଜି ବି ରାହୁଲଙ୍କୁ ସମନ କଲା ଇଡି | News Room Odisha

ଆଜି ବି ରାହୁଲଙ୍କୁ ସମନ କଲା ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଲଗାତାର ଦ୍ୱିତୀୟ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୧ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରାୟ ୧୧ଟା ୩୦ ମିନିଟରେ ଇଡି ସମ୍ମୁଖରେ ହାଜର ହୋଇଥିଲେ। ପ୍ରଥମ ରାଉଣ୍ଡରେ ପ୍ରାୟ ଚାରି ଘଣ୍ଟା ପଚରାଉଚରା ପରେ ସେ ବାହାରକୁ ଆସିଥିଲେ | ଦ୍ୱିତୀୟ ରାଉଣ୍ଡ ଜେରା ପାଇଁ ରାହୁଲ ପୁଣି ଥରେ ଅପରାହ୍ନ ପ୍ରାୟ ୪.୩୦ ସମୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେ ରାତି ୧୧:୪୫ ରେ ଇଡି କାର୍ଯ୍ୟାଳୟରୁ ବାହାରକୁ ଆସିଥିଲେ | ବୁଧବାର ଇଡି ତାଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି।

ରାହୁଲଙ୍କୁ ଇଡିର ଜେରା ରାଜନୈତିକ ଷଡଯନ୍ତ୍ର ବୋଲି କଂଗ୍ରେସ କହିଛି । ଦଳର ବହୁ ନେତା ଓ କର୍ମୀ ପୁଣି ମଙ୍ଗଳବାର ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାଲି ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାଡିବାକୁ ଯାଇଥିଲେ। ବିରୋଧ କରୁଥିବାବେଳେ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଥିଲା। ସୋମବାର ଦିନ ରାହୁଲ ଗାନ୍ଧୀ ପ୍ରାୟ ୧୧ ଘଣ୍ଟା ଇଡି ଜେରାର ସମ୍ମୁଖୀନ ହୋଇଥିଲେ । ସୂଚନାନୁସାରେ, ରାହୁଲ ଗାନ୍ଧୀ ଇଡିର ଅନେକ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଆଉ କିଛି ପ୍ରଶ୍ନ ଉପରେ ଚୁପ୍ ରହିଥିଲେ |