ଆଦାନୀ ବିବାଦ ନେଇ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ, କହିଲେ ସତ ପଦାକୁ ନ ଆସିବା ପର୍ଯ୍ୟନ୍ତ ପ୍ରଶ୍ନ ପଚାରିବୁ | News Room Odisha

ଆଦାନୀ ବିବାଦ ନେଇ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ, କହିଲେ ସତ ପଦାକୁ ନ ଆସିବା ପର୍ଯ୍ୟନ୍ତ ପ୍ରଶ୍ନ ପଚାରିବୁ

ନୂଆ ରାୟପୁର: ଆଦାନୀ ବିବାଦ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଏହି ବିବାଦ ସହ ଜଡ଼ିତ ସତ ପଦାକୁ ନ ଆସିବା ପର୍ଯ୍ୟନ୍ତ ଆମେ ପ୍ରଶ୍ନ କରୁଥିବୁ ବୋଲି ସେ କହିଛନ୍ତି ।

ଦଳର ୮୫ ତମ ମହାଅଧିବେଶନର ତୃତୀୟ ତଥା ଅନ୍ତିମ ଦିବସରେ ରବିବାର ନିଜ ଉଦବୋଧନରେ ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଆଦାନୀ ଏକ ଓ ଅଭିନ୍ନ।

ଭବିଷ୍ୟତରେ ‘ଭାରତ ଯୋଡୋ ଯାତ୍ରା’ ପରି କାର୍ଯ୍ୟକ୍ରମର ସଙ୍କେତ ଦେଇ ରାହୁଲ କହିଛନ୍ତି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ‘ତପସ୍ଯା’ କାର୍ଯ୍ୟକ୍ରମ କରିବା ଉଚିତ ଯେଉଁଥିରେ ସବୁ ଲୋକ ଅଂଶଗ୍ରହଣ କରିବେ।

ରାହୁଲ କହିଛନ୍ତି, କଂଗ୍ରେସ ଲୋକ ସତ୍ୟଗ୍ରାହୀ ହୋଇଥିବାବେଳେ ବିଜେପି-ଆରଏସ୍ଏସ୍ ଲୋକ ‘ସତ୍ତାଗ୍ରହୀ’ ।

ଆଦାନୀ ମାମଲା ସମ୍ପର୍କରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଆଦାନୀ ଯିଏ ମୋଦୀ ସିଏ । ସବୁ ଟଙ୍କା ଜଣେ ବ୍ୟକ୍ତିଙ୍କ ପାଖକୁ ଯାଉଛି।

ସେ କହିଛନ୍ତି ଯେ ସଂସଦରେ ଆମର ବକ୍ତବ୍ୟକୁ ବାଦ୍ ଦିଆଯାଇଛି … ଆମେ ପ୍ରଶ୍ନ ପଚାରିବୁ। ଆମେ ଥରେ ନୁହେଁ, ଏକ ହଜାର ଥର ପ୍ରଶ୍ନ ପଚାରିବୁ | ଯେପର୍ଯ୍ୟନ୍ତ ଆଦାନୀ ଜୀଙ୍କର ସତ୍ୟ ପ୍ରକାଶ ନହେବ, ଆମେ ପ୍ରଶ୍ନ ପଚାରିବୁ |

ଏହି ମହାଅଧିବେଶନରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ କେବଳ ୧୫-୨୦ ବିଜେପି ଲୋକଙ୍କ ସହ ଶ୍ରୀନଗରରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି, କିନ୍ତୁ ଆମେ କାଶ୍ମୀରର ଲକ୍ଷ ଲକ୍ଷ ଯୁବକ ସହ ତ୍ରିରଙ୍ଗା ଉଡାଇଛୁ।

ଚୀନ୍ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଏକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି, “ଯିଏ ଆପଣଙ୍କ ଠାରୁ ଦୁର୍ବଳ, ସେମାନଙ୍କ ସହିତ ଲଢ଼ିବା ଭୀରୁତାର ପରିଚୟ, ଏହା ଜାତୀୟତାବାଦ ନୁହେଁ।”