ସୋନିଆଙ୍କୁ ଇଡିର ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ, ରାହୁଲଙ୍କ ସହ ବହୁ ନେତା ଅଟକ | News Room Odisha

ସୋନିଆଙ୍କୁ ଇଡିର ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ, ରାହୁଲଙ୍କ ସହ ବହୁ ନେତା ଅଟକ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସ୍ ରେ ଇଡି ଆଜି ଦ୍ୱିତୀୟ ଥର ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରୁଛି। ସୋନିଆଙ୍କୁ ଜେରା ବିରୋଧରେ କଂଗ୍ରେସ ନେତା ରାସ୍ତାକୁ ଓହ୍ଲାଇଛନ୍ତି । ଭେଟେରାନ କଂଗ୍ରେସ ନେତାଙ୍କ ସମେତ ଦଳୀୟ କର୍ମୀ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଆନ୍ଦୋଳନ କରିଛନ୍ତି । ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀର ବିଜୟ ଚୌକରେ ବିରୋଧ କରୁଥିବା କଂଗ୍ରେସ କର୍ମୀମାନଙ୍କ ସହ ଯୋଗ ଦେଇଥିଲେ । ତେବେ ରାହୁଲଙ୍କ ସହ ଦଳର ବହୁ ନେତାଙ୍କୁ ପୋଲିସ ଅଟକ ରଖିଛି । ରାହୁଲ ଗାନ୍ଧୀଙ୍କୁ କିଙ୍ଗସୱେ କ୍ୟାମ୍ପକୁ ନିଆଯାଇଛି।

ସୋନିଆଙ୍କୁ ଜେରା ପ୍ରତିବାଦରେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ବିଜୟ ଚୌକରୁ ଆଗକୁ ଯିବାକୁ ଅନୁମତି ଦିଆଯାଇନଥିଲା। ଏହା ପରେ ରାହୁଲ ବିଜୟ ଚୌକ ଠାରେ ହିଁ ଧାରଣାରେ ବସିଥିଲେ। ଏସବୁ ପରେ ରାହୁଲ ଗାନ୍ଧୀଙ୍କୁ ହାଜତକୁ ନେଇଥିଲା ପୋଲିସ। ଅନ୍ୟପକ୍ଷରେ ଦଳର ବଡ଼ ନେତାମାନେ ସଂସଦ କମ୍ପ୍ଲେକ୍ସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ସମୟରେ ଅନେକ କଂଗ୍ରେସ ସାଂସଦଙ୍କୁ ମଧ୍ୟ ଅଟକ ରଖାଯାଇଥିଲା।

ଅଟକ ପରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ସରକାର ଅମଳରେ ଭାରତ ଏକ ପୋଲିସ ରାଷ୍ଟ୍ରରେ ପରିଣତ ହୋଇଛି ବୋଲି ସେ କହିଛନ୍ତି । ସଂସଦ ଭିତରେ ଆମକୁ ନିଜ ମତ ରଖିବାକୁ ଅନୁମତି ନାହିଁ ଏବଂ ଏଠାରେ ମଧ୍ୟ ପୋଲିସ ଆମକୁ ଗିରଫ କରୁଛି ବୋଲି ରାହୁଲ କହିଛନ୍ତି ।