ବିରୋଧୀ ମେଣ୍ଟକୁ ମୋଦୀଙ୍କ କଟାକ୍ଷ, ରାହୁଲ ଦେଲେ ଜବାବ | News Room Odisha

ବିରୋଧୀ ମେଣ୍ଟକୁ ମୋଦୀଙ୍କ କଟାକ୍ଷ, ରାହୁଲ ଦେଲେ ଜବାବ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇ-ଣ୍ଡି-ଆ’ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିଛନ୍ତି । ବିରୋଧୀଙ୍କ ଏହି ମେଣ୍ଟକୁ ମୋଦୀ ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ ଓ ‘ଇଣ୍ଡିଆନ୍ ମୁଜାହିଦ୍ଦିନ’ ବୋଲି କହିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ଜବାବ ଦେଇଛନ୍ତି ।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି- “ପିଏମ୍ ମୋଦୀ, ଆପଣ ଆମକୁ ଯାହା ବି କୁହନ୍ତୁ, ଆମେ ହେଉଛୁ ଇଣ୍ଡିଆ।”

ରାହୁଲ ଗାନ୍ଧୀ ଟ୍କବିଟ୍ କରି କହିଛନ୍ତି, “ଆମେ ମଣିପୁରର କ୍ଷତକୁ ଭଲ କରିବୁ। ମଣିପୁରର ମହିଳା ଓ ପିଲାମାନଙ୍କର ଲୁହ ପୋଛିବୁ। ମଣିପୁରର ଲୋକଙ୍କ ପାଇଁ ଆମେ ଭଲପାଇବା ଏବଂ ଶାନ୍ତି ଫେରାଇ ଆଣିବୁ। ମଣିପୁରରେ ଆମେ ପୁଣି ଭାରତର ବିଚାରଧାରାକୁ ଉଜ୍ଜୀବିତ କରିବୁ।”

ମଙ୍ଗଳବାର ବିଜେପିର ସଂସଦୀୟ ଦଳର ବୈଠକରେ ବିରୋଧୀ ମେଣ୍ଟ ଉପରେ ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଥିଲେ, ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ଗଠନ ଜଣେ ବ୍ରିଟିଶ କରିଥିଲେ। ବ୍ରିଟିଶମାନେ ମଧ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ। ଆଜିକାଲି ଲୋକମାନେ ଭାରତୀୟ ମୁଜାହିଦ୍ଦିନ ନାମ ରଖୁଛନ୍ତି। ଇଣ୍ଡିଆନ୍ ପିପୁଲ୍ସ ଫ୍ରଣ୍ଟ ନାଁ ମଧ୍ୟ ରଖୁଛନ୍ତି । ଖାଲି ‘ଇଣ୍ଡିଆ’ ନାଁ ରଖିଦେଲେ କ’ଣ ହେବ? ଏଭଳି ନାମ ପଛର ବାସ୍ତବତା କିଛି ଅଲଗା ଥାଏ । ସେ କେବେ ବି ଏଭଳି ଦିଶାହୀନ ବିରୋଧୀ ଦେଖିନାହାଁନ୍ତି। ବୋଧେ ସେମାନେ କ୍ଷମତାକୁ ଆସିବାକୁ ଚାହୁଁ ନାହାଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।