ମୋଦୀ ସାଙ୍ଗିଆ ମାମଲା: ରାଞ୍ଚି କୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଝଟକା, ବ୍ୟକ୍ତିଗତ ହାଜିରାରୁ ଛାଡ଼ ଆବେଦନ ଖାରଜ | News Room Odisha

ମୋଦୀ ସାଙ୍ଗିଆ ମାମଲା: ରାଞ୍ଚି କୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଝଟକା, ବ୍ୟକ୍ତିଗତ ହାଜିରାରୁ ଛାଡ଼ ଆବେଦନ ଖାରଜ

ରାଞ୍ଚି: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଞ୍ଚିର ଏମପି-ଏମ୍ଏଲ୍ଏ କୋର୍ଟରୁ ବଡ଼ ଝଟକା ଲାଗିଛି। ‘ମୋଦୀ ସାଙ୍ଗିଆ’ ମାନହାନୀ ମାମଲାରେ କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ରାହୁଲ ଗାନ୍ଧୀ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କ ଆବେଦନ ଖାରଜ କରିଛନ୍ତି। ଅର୍ଥାତ୍ ଏହି ମାମଲାରେ ଯେତେବେଳେ ବି ଶୁଣାଣି ହେବ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ ଯେ, ‘ମୋଦୀ ସାଙ୍ଗିଆ’ବୟାନ ନେଇ ପ୍ରଦୀପ ମୋଦୀ ନାମକ ଜଣେ ବ୍ୟକ୍ତି ରାହୁଲଙ୍କ ବିରୋଧରେ ରାଞ୍ଚିର ଏମପି-ଏମ୍ଏଲ୍ଏ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏହି ମାମଲାର ଶୁଣାଣି ଚାଲିଛି। ରାହୁଲ ଗାନ୍ଧୀଙ୍କ ତରଫରୁ ଓକିଲ ପ୍ରଦୀପ ଚନ୍ଦ୍ର ମାମଲା ପରିଚାଳନା କରୁଛନ୍ତି ।

୨୦୧୯ ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର କୋଲାର ଠାରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ‘ସବୁ ମୋଦୀ ସାଙ୍ଗିଆଧାରୀ ଚୋର’ ବୋଲି କହିଥିଲେ । ଏପରି ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ସୁରଟ କୋର୍ଟରେ ଆପରାଧିକ ମାନହାନି ମାମଲା ଦାୟର କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ମାମଲାର ରାୟ ଆସିଥିଲା । କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

କୋର୍ଟଙ୍କ ରାୟ ଆସିବାର ଦିନକ ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ତଳକୋର୍ଟ ରାୟ ବିରୋଧରେ ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସେଠି ବି ତାଙ୍କୁ ଆଶ୍ବସ୍ତି ମିଳିନଥିଲା । ପରେ ସେ ଗୁଜରାଟର ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଟ୍ରାଏଲ କୋର୍ଟର ରାୟ ଉପରେ ସ୍ଥଗିତାଦେଶ ଦେବାକୁ ହାଇକୋର୍ଟ ମଧ୍ୟ ମନା କରି ଦେଇଛନ୍ତି। ଗ୍ରୀଷ୍ମ ଅବକାଶ ପରେ ଅର୍ଥାତ୍ ଜୁନରେ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ରାୟ ଶୁଣାଇବେ ।