ସଂସଦକୁ ଫେରିବେ ରାହୁଲ ଗାନ୍ଧୀ, ଲୋକସଭା ସଦସ୍ୟତା ଫେରିପାଇଲେ | News Room Odisha

ସଂସଦକୁ ଫେରିବେ ରାହୁଲ ଗାନ୍ଧୀ, ଲୋକସଭା ସଦସ୍ୟତା ଫେରିପାଇଲେ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଉପରୁ କଟକଣା ହଟିଛି । ସାଂସଦ ଭାବେ ପୁନଃ ଅବସ୍ଥାପିତ ହୋଇଛନ୍ତି ଏହି କଂଗ୍ରେସ ନେତା। ରାହୁଲଙ୍କ ସଦସ୍ୟତା ଫେରାଯାଇଥିବା ନେଇ ସୋମବାର ଲୋକସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଦୀ ସରନେମ୍ ମନ୍ତବ୍ୟ ସମ୍ପର୍କିତ ମାନହାନି ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡ ହେବା ପରେ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ଲୋକସଭା ସଭ୍ୟପଦ ଫେରି ପାଇବା ପରେ ରାହୁଲ ଗାନ୍ଧୀ ସଂସଦର ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେବା ପଥ ପରିଷ୍କାର ହୋଇଛି । ସେ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ମଧ୍ୟ ଭାଗ ନେବେ ।

ମୋଦୀ ସରନେମ୍ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ । କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ସର୍ବାଧିକ ଦଣ୍ଡ ଦିଆଯାଇଛି, କିନ୍ତୁ ଏହାର କାରଣ ଦିଆଯାଇନାହିଁ। ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ରାହୁଲ ଗାନ୍ଧିଙ୍କୁ ଯଥଶୀଘ୍ର ଲୋକସଭା ସାଂସଦ ପଦରେ ପୁନଃ ଅବସ୍ଥାପିତ କରିବାକୁ କଂଗ୍ରେସ ଦାବି କରିଥିଲା ।