ପ୍ରଥମ ଟେଷ୍ଟ: ରାହୁଲଙ୍କ ଶତକ, ପ୍ରଥମ ଦିନରେ ଭାରତ ୨୭୨/୩ | News Room Odisha

ପ୍ରଥମ ଟେଷ୍ଟ: ରାହୁଲଙ୍କ ଶତକ, ପ୍ରଥମ ଦିନରେ ଭାରତ ୨୭୨/୩

ସେଞ୍ଚୁରିଅନ: ରବିବାର ଠାରୁ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ଉପରେ ପ୍ରାଧାନ୍ୟ ଜାହିର କରିଛି । ଉପଅଧିନାୟକ କେଏଲ ରାହୁଲଙ୍କ ଅପରାଜିତ ଶତକ ସହାୟତାରେ ଭାରତ ଏକ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରାହୁଲଙ୍କ ଶତକ ବଳରେ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୭୨ ରନ୍ କରିଛି ।

ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୧୨୨ ରନ୍ କରି ଅପରାଜିତ ଅଛନ୍ତି । ରାହୁଲଙ୍କ ଏହି ଚମତ୍କାର ଶତକୀୟ ପାଳିରେ ୧୭ଟି ଚୌକା ଓ ଗୋଟିଏ ଛକା ସାମିଲ ଅଛି । ରାହୁଲଙ୍କଭ ଏହା ସପ୍ତମ ଶତକ । ଦକ୍ଷିଣ ଆଫ୍ରିକାରେ ତାଙ୍କର ଏହା ପ୍ରଥମ ଶତକ । ୱାସିମ ଜାଫର (୨୦୦୬-୦୭) ପରେ ରାହୁଲ ପ୍ରଥମ ଭାରତୀୟ ଓପନର ଭାବେ ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ଶତକ ହାସଲ କରିଛନ୍ତି । ରାହୁଲଙ୍କ ଅପରାଜିତ ୧୨୨ ରନ୍ ମଧ୍ୟ ଦକ୍ଷିଣ ଆଫ୍ରିକାରେ କୌଣସି ଭାରତୀୟ ଓପନରଙ୍କ ଦ୍ୱାର ସର୍ବାଧିକ ବ୍ୟକ୍ତିଗତ ସ୍କୋର । ରାହୁଲଙ୍କ ସହ ଭେଟେରାନ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଅପରାଜିତ ଅଛନ୍ତି । ଚାପରେ ଥିବା ରାହାଣେ ମଧ୍ୟ ଭଲ ଷ୍ଟାର୍ଟ କରିଛନ୍ତି । ସେ ୪୦ ରନ୍ କରି ବ୍ୟାଟିଂ କରୁଛନ୍ତି ।

ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ବୋଲିଂ ଆକ୍ରମଣ ନିଷ୍ପ୍ରଭ ସାବ୍ୟସ୍ତ ହୋଇଛି । ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଦଳର ଟିମ୍ କମ୍ବିନେସନକୁ ନେଇ କଳ୍ପନା ଜଳ୍ପନା ମଧ୍ୟରେ ଫର୍ମ ପାଇଁ ସଂଘର୍ଷ କରୁଥିବା ଅଜିଙ୍କ୍ୟ ରାହାଣେଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଭାରତ ପାଞ୍ଚ ଜଣ ବୋଲର ଫର୍ମୁଲା ମଧ୍ୟ ବଜାୟ ରଖିଥିଲା । ଭାରତ ପକ୍ଷରୁ ରାହୁଲ ଓ ମୟଙ୍କ ଅଗ୍ରୱାଲ ଇନିଂସ୍ ଓପନ୍ କରି ଭାରତକୁ ଏକ ଦୃଢ ଷ୍ଟାର୍ଟ ଦେଇଥିଲେ । ମୟଙ୍କ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ । ସେ ରନ୍ କରିବା ସୁଯୋଗକୁ ଆଦୌ ହାତଛଡ଼ା କରିନଥିଲେ । ରାହୁଲ ଆରମ୍ଭରୁ ସାମାନ୍ୟ ସତର୍କତା ଅବଲମ୍ବନ କରିଥିଲେ ମଧ୍ୟ ପରେ ଆତ୍ମବିଶ୍ୱାସର ସହ ଆକର୍ଷଣୀୟ ସଟ୍ ଖେଳିଥିଲେ । ରାହୁଲ-ମୟଙ୍କ ଓପନିଂ ଯୋଡ଼ି ପ୍ରଥମ ୱିକେଟରେ ୧୧୭ ରନ୍ ଯୋଗ କରିଥିଲେ । ମୟଙ୍କ ନିଜ ଜବରଦସ୍ତ ଫର୍ମ ଜାରି ରଖି ଅର୍ଦ୍ଧଶତକ ପୂରଣ କରିଥିଲେ ।

ଶେଷରେ ମୟଙ୍କଙ୍କୁ ଆଉଟ୍ କରି ଲୁନଗି ଏନଗିଡି ଦକ୍ଷିଣ ଆଫ୍ରିକାକୁ ପ୍ରଥମ ସଫଳତା ଦେଇଥିଲେ । ମୟଙ୍କ ୧୨୩ ବଲରେ ୯ଟି ଚୌକା ସହ ୬୦ ରନ୍ କରି ଆଉଟ୍ ହୋଇଥିଲେ । ମୟଙ୍କଙ୍କ ୱିକେଟ୍ ପରେ କ୍ରିଜକୁ ଓହ୍ଲାଇଥିବା ଭେଟେରାନ ଚେତେଶ୍ୱର ପୂଜାରା ନିରାଶ କରିଥିଲେ । ପୂଜାରାଙ୍କ ଖରାପ ଫର୍ମ ଜାରି ରହିଥିଲା । ସେ ଖାତା ଖୋଲି ନପାରି ପ୍ରଥମ ବଲରେ ହିଁ ଏନଗିଡିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଦୁଇଟି ବଲ୍ ମଧ୍ୟରେ ଶୀଘ୍ର ଦୁଇ ୱିକେଟ୍ ହରାଇବା ପରେ ରାହୁଲଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ଅଧିନାୟକ କୋହଲି । ଦୁହେଁ ପୁଣି ପାଳି ସଜାଡ଼ିବା ଆରମ୍ଭ କରିଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୮୧ ରନ୍ ଯୋଗ କରିଥିଲେ । ତେବେ ପୁଣି ଏନଗିଡି ଦକ୍ଷିଣ ଆଫ୍ରିକା ପାଇଁ ଏକ ପ୍ରତୀକ୍ଷିତ ସଫଳତା ଦେଇଥିଲେ । ସେ କୋହଲିଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ତୃତୀୟ ସଫଳତା ଦେଇଥିଲେ । ଗତ ଦୁଇ ବର୍ଷ ଧରି ଶତକଟିଏ ହାସଲ କରିପାରିନଥିବା କୋହଲି ୯୪ ବଲରେ ୩ଟି ଚୌକା ସହ ୩୫ ରନ୍ କରି ଆଉଟ୍ ହୋଇଥିଲେ ।

କୋହଲି ଆଉଟ ହେବା ବେଳକୁ ଭାରତର ସ୍କୋର ଥିଲା ୧୯୯/୩ ଏବଂ ଏହାପରେ ରାହୁଲଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ରାହାଣେ । ରାହୁଲ ସକାରାତ୍ମକ ପ୍ରଦର୍ଶନ ସହ କ୍ୟାରିୟରର ସପ୍ତମ ଶତକ ପୂରଣ କରିଥିଲେ । ୧୪ ବର୍ଷ ପରେ ରାହୁଲ ପ୍ରଥମ ଭାରତୀୟ ଓପନର ଭାବେ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିଥିଲେ । ସେପଟେ ନିଜ ସ୍ଥାନ ବଜାୟ ରଖିବାକୁ ଚାପରେ ଥିବା ରାହାଣେ ମଧ୍ୟ ଲୟକୁ ଫେରିଥିବା ମନେ ହୋଇଥିଲା । ଉଭୟ ଏଯାବତ୍ ଅବିଭକ୍ତ ଚତୁର୍ଥ ୱିକେଟରେ ୭୩ ରନ୍ ଯୋଗ କରିସାରିଛନ୍ତି । ଦ୍ୱିତୀୟ ଦିବସରେ ଦୁହେଁ ଦୀର୍ଘ ସମୟ କ୍ରିଜ୍ ଅକ୍ତିଆର କରି ଦଳୀୟ ସ୍କୋରକୁ ଆଗେଇ ନେବେ ବୋଲି ଆଶା କରାଯାଉଛି ।