ଆହତ ରାହୁଲ ଆଇପିଏଲରୁ ବାଦ୍, ଡବ୍ଲୁଟିସି ଫାଇନାଲରେ ଖେଳିବା ନେଇ ଅନିଶ୍ଚିତତା | News Room Odisha

ଆହତ ରାହୁଲ ଆଇପିଏଲରୁ ବାଦ୍, ଡବ୍ଲୁଟିସି ଫାଇନାଲରେ ଖେଳିବା ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ଆଇପିଏଲ୍ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଲାଗିଛି ବଡ଼ ଝଟକା। ଆଘାତ କାରଣରୁ ଦଳର ଅଧିନାୟକ କେ.ଏଲ୍ ରାହୁଲ ଆଇପିଏଲର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି । ସୂଚନା ଅନୁଯାୟୀ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ରାହୁଲଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ତାଙ୍କ ଆଘାତ ଗୁରୁତର ବୋଲି କୁହାଯାଇଛି ।

ରାହୁଲ ଜୁନ୍ ୭ ରୁ ୧୧ ପର୍ଯ୍ୟନ୍ତ ଲଣ୍ଡନରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଖେଳିବା ନେଇ ମଧ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି । ଆରସିବି ବିପକ୍ଷ ମ୍ୟାଚରେ ଫାଫ ଡୁ ପ୍ଲେସିସଙ୍କ କଭର ଡ୍ରାଇଭକୁ ବାଉଣ୍ଡରୀ ଲାଇନ୍ ନିକଟରେ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ରାହୁଲ ଆହତ ହୋଇଥିଲେ ।

ଏହି ବିଷୟରେ ଅବଗତ ଥିବା ବିସିସିଆଇର ଜଣେ ଅଧିକାରୀ ଗୋପନୀୟତା ସର୍ତ୍ତରେ କହିଛନ୍ତି, “ଲୋକେଶ ରାହୁଲ ବର୍ତ୍ତମାନ ଲକ୍ଷ୍ନୌରେ ଦଳ ସହ ଅଛନ୍ତି। ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଦେଖିବା ପରେ ସେ ଗୁରୁବାର ମୁମ୍ବାଇ ଆସିବେ। ମୁମ୍ବାଇରେ ବିସିସିଆଇ ଏକ ହସ୍ପିଟାଲରେ ତାଙ୍କର ସ୍କାନ କରିବ। ତାଙ୍କ ମାମଲା ସହିତ ଜୟଦେବ ଉନାଦକଟଙ୍କ ଇଞ୍ଜୁରି ମାମଲା ମଧ୍ୟ ଅନୁଧ୍ୟାନ କରାଯିବ। ”

ସେ ସ୍ପଷ୍ଟ କରିଛନ୍ତି ରାହୁଲଙ୍କ ଏପର୍ଯ୍ୟନ୍ତ କୌଣସି ସ୍କାନ କରାଯାଇ ନାହିଁ। ସେ କହିଛନ୍ତି, “ଯେତେବେଳେ କେହି ଏପରି ଆଘାତ ପାଆନ୍ତି, ସେହି ସ୍ଥାନରେ ଏବଂ ଏହାର ଆଖପାଖରେ ବହୁତ ଯନ୍ତ୍ରଣା ହୁଏ ଏବଂ ଫୁଲିଯାଏ | ଫୁଲା କମିବା ପାଇଁ ପ୍ରାୟ ୨୪ ରୁ ୪୮ ଘଣ୍ଟା ଲାଗେ । ଏହାପରେ ହିଁ ଆପଣ ସ୍କାନ୍ କରିପାରିବେ | ”

ଉନାଦକଟଙ୍କ ଆଘାତ ମଧ୍ୟ ଗୁରୁତର ବୋଲି ଜଣାପଡ଼ିଛି । ଅଧିକାରୀ ଜଣକ କହିଛନ୍ତ, “ଭଲ କଥା ହେଉଛି ଜୟଦେବଙ୍କର କାନ୍ଧରେ ଡିସଲୋକେସନ୍ (ଖଞ୍ଜା ଖସିବା) ହୋଇନାହିଁ । କିନ୍ତୁ ଏହା ମଧ୍ୟ ସତ ଯେ ତାଙ୍କ କାନ୍ଧ ଭଲ ସ୍ଥିତିରେ ନାହିଁ। ସେ ଚଳିତ ଆଇପିଏଲରେ ଆଉ ଖେଳି ପାରିବେ ନାହିଁ | ଡବ୍ଲୁଟିସି ଫାଇନାଲ୍ ଖେଳିବା ପାଇଁ ସେ ଠିକ୍ ସମୟରେ ଫିଟ୍ ହେବେ କି ନାହିଁ ଆମେ ତାହା କହି ପାରିବୁ ନାହିଁ |