'ଆରଏସ୍ଏସ୍-ବିଜେପି ମୋର ଗୁରୁ ଭଳି..', ରାହୁଲ ଗାନ୍ଧୀ କାହିଁକି ଏପରି କହିଲେ | News Room Odisha

‘ଆରଏସ୍ଏସ୍-ବିଜେପି ମୋର ଗୁରୁ ଭଳି..’, ରାହୁଲ ଗାନ୍ଧୀ କାହିଁକି ଏପରି କହିଲେ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ଆଜି ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତ ଯୋଡା ଯାତ୍ରା ଦେଶରେ ବୃଦ୍ଧି ପାଉଥିବା ଘୃଣା, ଭୟ ଏବଂ ହିଂସା ବିରୋଧରେ ଏକ ଅଭିଯାନ । ଭାରତ ଯୋଡୋ ଯାତ୍ରା ହେଉଛି ଦେଶର ସ୍ୱର। ରାହୁଲ ଗାନ୍ଧୀ ଆରଏସ୍ଏସ୍ ଓ ବିଜେପି ନେତାମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ରାହୁଲ କହିଛନ୍ତି ଯେ ସେମାନେ ଯେତେ ଆକ୍ରମଣ କରନ୍ତି, ଆମେ ସେତେ ନିଜ ସ୍ଥିତିକୁ ସୁଦୃଢ କରିବାର ସୁଯୋଗ ପାଇଥାଉ। ମୁଁ ଚାହୁଁଛି ସେମାନେ ଟିକିଏ ଅଧିକ ଆକ୍ରମଣାତ୍ମକ ହୁଅନ୍ତୁ, ଏହା କଂଗ୍ରେସ ଦଳ ଓ ମୋ ପାଇଁ ଲାଭଦାୟକ ହେବ। ମୁଁ ଆରଏସ୍ଏସ୍-ବିଜେପିକୁ ମୋର ଗୁରୁ ଭଳି ମନେ କରେ | କାରଣ ସେମାନେ ଆମକୁ ଏକପ୍ରକାର ରାସ୍ତା ଦେଖାଉଛନ୍ତି ଯେ କ’ଣ କରାଯିବା ଉଚିତ୍ ଓ ଅନୁଚିତ୍ |

ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ଯୋଡ ଯାତ୍ରା ପରେ କଣ ହେବ ବୋଲି ଲୋକମାନେ ପଚାରୁଛନ୍ତି। ଗତକାଲି କିଛି ଲୋକ ମୋତେ କହୁଥିଲେ ଯେ ପରବର୍ତ୍ତୀ ସମୟରେ ଆମେ କଣ କରିବୁ ସେନେଇ ଯୋଜନା କରିବାକୁ ପଡିବ। ମୁଁ ସେମାନଙ୍କୁ କହିଥିଲି ଏହି ଯାତ୍ରା କିଛି କହିବାକୁ ଚେଷ୍ଟା କରୁଛି | ଯଦି ଆମେ ଏହାର ସ୍ୱର ନ ଶୁଣି ଅନ୍ୟ କିଛି କରିବାକୁ ଆରମ୍ଭ କରିବା, ତେବେ ଭାରତର ସ୍ୱରର ଅପମାନ ହେବ |

ଅନ୍ୟପକ୍ଷରେ ଅଖିଳେଶ ଏବଂ ମାୟାବତୀଙ୍କ ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି – ମୁଁ ଜାଣେ ଯେ ବିରୋଧୀ ଦଳର ସମସ୍ତ ନେତା ଆମ ସହ ଛିଡା ହୋଇଛନ୍ତି। ଆମେ ଏହା ସ୍ପଷ୍ଟ ଭାବରେ ଜାଣୁ, କିନ୍ତୁ ଆଜିର ଭାରତରେ ଅନେକ ବାଧ୍ୟବାଧକତା ଅଛି, ତେଣୁ ମୁଁ ଏହା ଉପରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ | ଭରତ ଯୋଡୋ ଯାତ୍ରାରେ ଯୋଗଦେବା ପାଇଁ ସମସ୍ତଙ୍କ ପାଇଁ ଦ୍ୱାର ଖୋଲା ଅଛି, କାହା ପାଇଁ କୌଣସି କଟକଣା ନାହିଁ | ସେ କହିଛନ୍ତି ଯେ ବିଚାରଧାରାରେ ସମାନତା ଅଛି । କିନ୍ତୁ ଘୃଣା, ହିଂସା ଏବଂ ପ୍ରେମର କୌଣସି ସମାନତା ନଥାଏ। ଅଖିଳେଶ ଓ ମାୟାବତୀ ପ୍ରେମର ହିନ୍ଦୁସ୍ତାନ ଚାହାଁନ୍ତି, ମୁଁ ଜାଣେ ସେମାନେ ଘୃଣାର ହିନ୍ଦୁସ୍ତାନ ଚାହାଁନ୍ତି ନାହିଁ |