ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ପୁଣି ଏକ ଝଟକା, ଅଭ୍ୟାସ ବେଳେ ରାହୁଲ ଆହତ | News Room Odisha

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ପୁଣି ଏକ ଝଟକା, ଅଭ୍ୟାସ ବେଳେ ରାହୁଲ ଆହତ

ଢାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ପୁଣି ଏକ ଝଟକା ଲାଗିଛି । ଦଳର କାମଚଳା ଅଧିନାୟକ କେଏଲ୍ ରାହୁଲ ଆହତ ହୋଇଛନ୍ତି । ଆହତ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର କ୍ୟାପଟେନ୍ ଦାୟିତ୍ବ ତୁଲାଉଥିବା ରାହୁଲଙ୍କୁ ଥ୍ରୋ-ଡାଉନ୍ ସମୟରେ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଫଳରେ ତାଙ୍କୁ ନେଟ୍ସରେ ବ୍ୟାଟିଂ ଅଭ୍ୟାସ ବନ୍ଦ କରିବାକୁ ପଡିଥିଲା।

ବ୍ୟାଟିଂ କୋଚ୍ ବିକ୍ରମ ରାଥୋଡ୍ କହିଛନ୍ତି ଯେ ରାହୁଲଙ୍କ ଆଘାତ ଗୁରୁତର ନୁହେଁ। ତେବେ ଗୁରୁବାର ଠାରୁ ଆରମ୍ଭ ହେଉଥିବା ଦ୍ବିତୀୟ ଟେଷ୍ଟ ପାଇଁ ରାହୁଲ ଉପଲବ୍ଧ ହେବେ କି ନାହିଁ ତାହା ରାଥୋଡ୍ ସ୍ପଷ୍ଟ କରିନାହାଁନ୍ତି। ବିକ୍ରମ ରାଥୋଡ୍ କହିଛନ୍ତି, ସେ ଠିକ୍ ଥିବା ଭଳି ଲାଗୁଛନ୍ତି। ଡାକ୍ତରମାନେ ତାଙ୍କ ଚିକିତ୍ସା କରୁଛନ୍ତି। ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି।”

ଯଦି ଡିସେମ୍ବର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି, ତେବେ ତାଙ୍କ ସ୍ଥାନରେ ଉପଅଧିନାୟକ ଚେତେଶ୍ୱର ପୂଜାରା ପ୍ରଥମ ଥର ପାଇଁ ଭାରତର ନେତୃତ୍ଵ ନେବେ । ଏହାଛଡ଼ା ଅଭିମନ୍ୟୁ ଇଶ୍ବରନ ରାହୁଲଙ୍କ ସ୍ଥାନ ନେଇପାରିବେ। ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଅଭିମନ୍ୟୁ ଇଶ୍ବରନଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା । ବୁଧବାର ଉଭୟ ରାହୁଲ ଦ୍ରାବିଡ ଏବଂ ପାରସ ମାମ୍ବ୍ରିଙ୍କ ତତ୍ତ୍ଵାବଧାନରେ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଈଶ୍ବରନ୍ ନେଟ୍ସରେ ଦୀର୍ଘ ସମୟ ବ୍ୟାଟିଂ କରିଥିଲେ।

ପୂର୍ବରୁ କ୍ୟାପଟେନ୍ ରୋହିତ ଶର୍ମା ଓ ଦ୍ରୁତ ବୋଲର ନବଦୀପ ସାଇନି ଆଘାତ ଯୋଗୁଁ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଥିଲେ ।