ଭାରତୀୟ ଦଳରେ ସ୍ଥାନ ନ ମିଳିବାରୁ ତେଓ୍ବାତିଆ ନିରାଶ, ଭାଇରାଲ୍ ହେଉଛି ଟ୍ବିଟ୍ | News Room Odisha

ଭାରତୀୟ ଦଳରେ ସ୍ଥାନ ନ ମିଳିବାରୁ ତେଓ୍ବାତିଆ ନିରାଶ, ଭାଇରାଲ୍ ହେଉଛି ଟ୍ବିଟ୍

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳର ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି। କାରଣ ଦଳର ବରିଷ୍ଠ ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଦଳରେ ଅନେକ ଯୁବ ଓ ରିଜର୍ଭ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି, ଯେଉଁମାନେ ଆଇପିଏଲ ସମୟରେ ଭଲ ପ୍ରଦର୍ଶନ କରିଛନ୍ତି | କିନ୍ତୁ ରାହୁଲ ତେଓ୍ବାତିଆଙ୍କୁ ଏଥର ବି ନିରାଶ ହେବାକୁ ପଡ଼ିଛି । ଏଥର ମଧ୍ୟ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ। ଆୟର୍ଲାଣ୍ଡ ବିପକ୍ଷରେ ଦଳ ଘୋଷଣା ପରେ ରାହୁଲ ତେଓ୍ବାତିଆଙ୍କ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଏହି ଟ୍ୱିଟରେ ରାହୁଲ ତେଓ୍ବାତିଆ ଲେଖିଛନ୍ତି – ଆଶା ଆଘାତ ଦେଉଛି |

ଚଳିତ ବର୍ଷର ଆଇପିଏଲରେ ରାହୁଲ ତେଓ୍ବାତିଆ ଗୁଜୁରାଟ ଟାଇଟନ୍ସ ପାଇଁ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଟାଇଟନ୍ସ ନିଜ ଆଇପିଏଲ ପଦାର୍ପଣରେ ଟାଇଟଲ ଜିତିଥିଲା । ଉଲ୍ଲେଖଥାଉ କି, ରାହୁଲ ତେଓ୍ବାତିଆ ଆଇପିଏଲ୍ ୨୦୨୨ରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ୧୬ଟି ମ୍ୟାଚରେ ୨୧୭ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୭.୬୨ ଥିଲା | ସେ ଗୁଜରାଟ ପାଇଁ କିଛି ମ୍ୟାଚ୍ ବିଜୟୀ ଇନିଂସ ମଧ୍ୟ ଖେଳିଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ତାଙ୍କର ଚମତ୍କାର ବ୍ୟାଟିଂ ସବୁଠୁ ସ୍ମରଣୀୟ ଥିଲା। ସେହି ମ୍ୟାଚ୍‌ରେ ଗୁଜୁରାଟକୁ ଦୁଇଟି ବଲରେ ୧୨ ରନ୍ ଦରକାର ଥିଲା ଏବଂ ତେଓ୍ବାତିଆ କ୍ରମାଗତ ଦୁଇଟି ଛକା ମାରି ଦଳକୁ ବିଜୟ ପ୍ରଦାନ କରିଥିଲେ।

ଭାରତୀୟ ଦଳରେ ସ୍ଥାନ ନ ପାଇବା ନେଇ ସେ କରିଥିବା ଟ୍ୱିଟର ଜବାବରେ ଅନେକ ଲୋକ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ତାଙ୍କୁ ଏପରି ନିରାଶ ହେବା ଉଚିତ୍ ନୁହେଁ, ଆପଣଙ୍କର ସମୟ ନିଶ୍ଚୟ ଆସିବ ବୋଲି ଫ୍ୟାନମାନେ ତାଙ୍କୁ କହିଛନ୍ତି ।

ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜରେ ଭାରତୀୟ ଦଳର ନେତୃତ୍ଵ ହାର୍ଦ୍ଦିକ ପାଣ୍ଡ୍ୟା ନେବେ । ଜୁନ୍ ୨୬ ଓ ୨୮ ରେ ଏହି ଦୁଇଟି ଟି-୨୦ ମ୍ୟାଚ୍ ଆୟର୍ଲାଣ୍ଡର ମାଲାହାଇଡରେ ଖେଳାଯିବ |