ମାଲଗାଡ଼ି ଲାଇନଚ୍ୟୁତ ହୋଇନଥିଲା, କେବଳ କରମଣ୍ଡଳ ଏକ୍ସପ୍ରେସ ହୋଇଥିଲା ଦୁର୍ଘଟଣାଗ୍ରସ୍ତ | News Room Odisha

ମାଲଗାଡ଼ି ଲାଇନଚ୍ୟୁତ ହୋଇନଥିଲା, କେବଳ କରମଣ୍ଡଳ ଏକ୍ସପ୍ରେସ ହୋଇଥିଲା ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ବାହାନଗା ଟ୍ରେନ୍ ଦୁର୍ଘଟଣା ବେଳେ ସିଗ୍ନାଲ୍ ସମସ୍ୟା ଥିଲା । କେବଳ କରମଣ୍ଡଳ ଏକ୍ସପ୍ରେସ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାାଲଗାଡ଼ିର କିଛି କ୍ଷତି ହୋଇନଥିଲା । ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ରେଲଓ୍ବେ ବୋର୍ଡ ।

ଦୁର୍ଘଟଣା କିପରି ଘଟିଥିଲା ଏ ବିଷୟରେ ସୂଚନା ଦେଇ ରେଲଓ୍ବେ ବୋର୍ଡ ସଦସ୍ୟା ଜୟା ବର୍ମା ସିହ୍ନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ବାହାନାଗା ଷ୍ଟେସନରେ ୪ଟି ଲାଇନ୍ ରହିଛି | ସେଥିମଧ୍ୟରୁ ଦୁଇଟି ହେଉଛି ମେନ୍ ଲାଇନ୍ ଓ ଆଉ ଦୁଇଟି ଲୁପ୍ ଲାଇନ୍ | ଗୋଟିଏ ଲୁପ୍ ଲାଇନରେ ଏକ ମାଲବାହୀ ଟ୍ରେନ୍ ଥିଲା । ଗ୍ରୀନ୍ ସିଗ୍ନାଲ ମିଳିଥିବାରୁ କରମଣ୍ଡଳ ଦ୍ରୁତ ଗତିରେ ଯାଉଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କରମଣ୍ଡଳ ଏକ୍ସପ୍ରେସ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୧୨୮ କିଲୋମିଟର ଥିଲା | ତେବେ କରମଣ୍ଡଳ ଭୁଲରେ ଲୁପ୍ ଲାଇନରେ ପଳାଇଥିଲା ଓ ସେଠାରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ‌‌।

ଲୁହାପଥର ବୋଝେଇ ହୋଇଥିବାରୁ କରମଣ୍ଡଳ ଧକ୍କା ଦେବାପରେ ମଧ୍ୟ ମାଲଗାଡ଼ିର କିଛି ହୋଇନଥିଲା। କରମଣ୍ଡଳ ଏକ୍ସପ୍ରେସର ହିଁ ସର୍ବାଧିକ କ୍ଷତି ଘଟିଥିଲା | ଏହି କାରଣରୁ ମୃତ୍ୟୁସଂଖ୍ୟା ଅଧିକ ହୋଇଥିଲା। ମାଲଗାଡିକୁ ଧକ୍କା ଦେବା ପରେ କରମଣ୍ଡଳର ୧୭ଟି ବଗି ଓଲଟି ପଡ଼ିଥିଲା । ଏହାର କିଛି ବଗି ଡାଉନ୍ ଲାଇନ୍ ପଟେ ଆସୁଥିବା ୟଶଓ୍ବନ୍ତପୁର-ହାଓ୍ୱଡା ଏକ୍ସପ୍ରେସର ଶେଷ ଦୁଇଟି ବଗିକୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାର ତଦନ୍ତ ଚାଲିଛି । ରେଲଓ୍ବେ ସେଫ୍ଟି କମିଶନର ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଟ୍ରେନ୍ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟାରେ ସଂଶୋଧନ କରିଛନ୍ତି ଓଡ଼ିଶା ସରକାର । ଏହି ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଥମେ କୁହାଯାଇଥିଲା । କିନ୍ତୁ ଏହି ସଂଖ୍ୟା ୨୭୫ ବୋଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରବିବାର ସୂଚନା ଦେଇଛନ୍ତି ‌‌। କେତେକ ମୃତଦେହ ଦୁଇଥର ଗଣାଯାଇଥିବାରୁ ମୃତ୍ୟୁସଂଖ୍ୟାରେ ଭୁଲ ହୋଇଥିଲା ବୋଲି ସେ କହିଛନ୍ତି ।