ବାଲେଶ୍ବର ଟ୍ରେନ୍ ଟ୍ରାଜେଡି ପରେ ନିଦ ଭାଙ୍ଗିଲା, ସବୁ ଜୋନର ସିଗନାଲ୍ ସିଷ୍ଟମ ଯାଞ୍ଚ୍ କରିବାକୁ ରେଳ ବିଭାଗର ନିର୍ଦ୍ଦେଶ | News Room Odisha

ବାଲେଶ୍ବର ଟ୍ରେନ୍ ଟ୍ରାଜେଡି ପରେ ନିଦ ଭାଙ୍ଗିଲା, ସବୁ ଜୋନର ସିଗନାଲ୍ ସିଷ୍ଟମ ଯାଞ୍ଚ୍ କରିବାକୁ ରେଳ ବିଭାଗର ନିର୍ଦ୍ଦେଶ

ନୂଆଦିଲ୍ଲୀ:ବାଲେଶ୍ବରରେ ଭୟଙ୍କର ଟ୍ରିପଲ୍ ଟ୍ରେନ୍ ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇର ନିଦ ଭାଙ୍ଗିଛି । ଦେଶର ସମସ୍ତ ସିଗନାଲ୍ ସିଷ୍ଟମ ଯାଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଏନେଇ ଜୁନ ୧୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସମସ୍ତ ୧୯ଟି ଜୋନର ମହାପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରେଳ ଷ୍ଟେସନରେ ସ୍ଥାପିତ ହାଉସିଂ ସିଗନାଲ୍ ଉପକରଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ହୋଇଛି । ଏହାଛଡ଼ା ରିଲେ ରୁମ୍ ଯାଞ୍ଚ କରି ଡବଲ୍ ସିଗନାଲିଂ ସିଷ୍ଟମ ଠିକ ଭାବରେ କାମ କରୁଛି କି ନାହିଁ ତାହା ଦେଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରିଲେ ରୁମରୁ ହିଁ ସିଗନାଲିଂ ସିଷ୍ଟମ୍ କଣ୍ଟ୍ରୋଲ ହୋଇଥାଏ ।

ବାଲେଶ୍ବରରେ ଶୁକ୍ରବାର ରାତିରେ ଘଟିଥିବା ଦୁର୍ଘଟଣାରେ ୨୭୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ଏହି ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରିଛି ରେଳବାଇ । ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ ସହ ଜାଣିଶୁଣି ଟାମ୍ପରିଂ କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ସମସ୍ତ ଜୋନର ଜେନେରାଲ ମ୍ୟାନେଜରମାନଙ୍କୁ ଚିଠିରେ ରେଳବାଇ ବୋର୍ଡ ଷ୍ଟେସନ ସୀମା ମଧ୍ୟରେ ଥିବା ସିଗନାଲ୍ ଉପକରଣ ଉପରେ ବିଶେଷ ଧ୍ୟାନ ଦେଇ ତୁରନ୍ତ ଏକ ସୁରକ୍ଷା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଷ୍ଟେସନଗୁଡିକର ସମସ୍ତ ରିଲେ ରୁମ୍ ଯାଞ୍ଚ ସହ ଡବଲ୍ ଲକିଂ ସିଷ୍ଟମ ସଠିକ୍ କାମ କରୁଛି କି ନାହିଁ ନିଶ୍ଚିତ କରିବାକୁ କୁହାଯାଇଛି |

ଅନ୍ୟପକ୍ଷରେ ବାଲେଶ୍ଵର ଟ୍ରେନ୍ ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିବା ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ଖଡ଼ଗପୁର ବିଭାଗର ପ୍ରାୟ ୫୪ ଅଧିକାରୀଙ୍କୁ ତଦନ୍ତ ବେଳେ ଉପସ୍ଥିତ ରହିବାକୁ କୁହାଯାଇଛି। ବୋର୍ଡ ମଧ୍ୟ ଅଫ୍ ଡ୍ୟୁଟି ରେଳ ଅଧିକାରୀ ଏବଂ ଦୁର୍ଘଟଣା ସ୍ଥଳରେ ପ୍ରଥମେ ପହଞ୍ଚିଥିବା ଅଧିକାରୀଙ୍କୁ ସମନ କରିଛି ।