ଦେଶରେ ଅନେକ ରାଜ୍ୟରେ ବର୍ଷା ବିତ୍ପାତ, ମହାରାଷ୍ଟ୍ରରେ ୮୩, ଗୁଜରାଟରେ ୬୩ ଜଣଙ୍କ ମୃତ୍ୟୁ | News Room Odisha

ଦେଶରେ ଅନେକ ରାଜ୍ୟରେ ବର୍ଷା ବିତ୍ପାତ, ମହାରାଷ୍ଟ୍ରରେ ୮୩, ଗୁଜରାଟରେ ୬୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୌସୁମୀ ସକ୍ରିୟ ଯୋଗୁ ଦେଶର ଅନେକ ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରହିଛି। ତେବେ ମହାରାଷ୍ଟ୍ର ଓ ଗୁଜରାଟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ୮୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ଏପର୍ଯ୍ୟନ୍ତ ୬୩ ମୃତ୍ୟୁ ରେକର୍ଡ କରାଯାଇଛି ।

ଗୁଜରାଟରେ ଗତ କିଛିଦିନ ହେଲା ଲଗାଣ ବର୍ଷା ଯୋଗୁ କେନ୍ଦ୍ରୀୟ ଓ ଦକ୍ଷିଣ ଗୁଜରାଟର ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭଲସାଡ, ନଭସାରି, ନର୍ମଦା ଓ ଛୋଟ ଉଦୟପୁର ଜିଲ୍ଲା। ପାଣି ଘେରରେ ରହିଥ‌ିବା ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ସେହିଭଳି ନଭସାରି ଜିଲ୍ଲାରେ କାବେରି ଓ ଅମ୍ବିକା ନଦୀ ବିପଦ ସଙ୍କେତଉପରେ ପ୍ରବାହିତ ହେଉଛି। ନର୍ମଦା ନଦୀର କରଞ୍ଜ ଡ୍ୟାମର ୪ଟି ଗେଟ୍‌ ଖୋଲି ଦିଆଯାଇଛି।

ପ୍ରବଳ ବର୍ଷା ଯୋଗୁ ଅହମ୍ମଦାବାଦ ସହର ଜଳାର୍ଣ୍ଣବ ହୋଇପଡିଛି। ରାଜ୍ୟର ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୩ ଏନ୍‌ଡିଆରଏଫ ଏବଂ ୧୬ଟି ଏସ୍‌ଡିଆରଏଫ ଟିମକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ମହାରାଷ୍ଟ୍ରର ମୁମ୍ବାଇ ମହାନଗରୀ ସମେତ ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହୋଇଛି। ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ବର୍ଷା ଯୋଗୁ ରାଜ୍ୟରେ ଗତ ୨୪ ଘଣ୍ଟାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୭୬କୁ ବୃଦ୍ଧି ପାଇଛି। ସେହିଭଳି ୧୨୫ଟି ଗୃହପାଳିତ ପ୍ରାଣୀ ମଧ୍ୟ ବର୍ଷାରେ ଭାସିଯାଇଛନ୍ତି । ମୁମ୍ବାଇ ସମେତ ସବୁ ଉପକୂଳ ଜିଲ୍ଲାରେ ଏନ୍‌ଡିଆରଏଫ୍ ଟିମକୁ ମୁତୟନ କରାଯାଇଛି। ରାଇଗଡ ଓ ରତ୍ନଗିରି ଭଳି ଭୂସ୍ଖଳନ ପ୍ରବଣ ଜିଲ୍ଲାର ବହୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।ଅହମ୍ମଦନଗର ଜିଲ୍ଲା କଲସୁବାଇ ପାହାଡର ପାଦଦେଶରେ ଫସି ରହିଥିବା ୫୦୦ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସେମାନେ ପାହାଡ ଚଢ଼ିବାକୁ ଯାଇଥିଲେ। ମାତ୍ର ଫେରିବା ବେଳେ ବର୍ଷା ଓ ବନ୍ୟାରେ ଫସି ଅଟକି ରହିଥିଲେ। ସେହିଭଳି ତେଲଙ୍ଗାନରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଆସିଫାବାଦ, ନିର୍ମଳ, ନିଜାମାବାଦ, ପେଡାପଲି, ସିରିସିଳା, ଭୁପାଲପାଲି ଓ ମୁଲୁଗୁ ଜିଲ୍ଲାରେ ତଳିଆ ଅଞ୍ଚଳରେ ବର୍ଷା ପାଣି ପ୍ରବେଶ କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଗାମୀ ୩ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି।