ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରାଜାମୌଲି, ଶାହରୁଖ ଖାନ୍ | News Room Odisha

ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରାଜାମୌଲି, ଶାହରୁଖ ଖାନ୍

ନ୍ୟୁୟର୍କ: ଫିଲ୍ମ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏବଂ ଅଭିନେତା ଶାହରୁଖ ଖାନ ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଟାଇମ୍ ମାଗାଜିନ୍ ପକ୍ଷରୁ ୨୦୨୩ ପାଇଁ ଜାରି ଏହି ତାଲିକାରେ ଉଭୟଙ୍କ ନାମ ରହିଛି | ଭାରତୀୟ ଜନ୍ମିତ ଲେଖକ ସଲମାନ ରୁଶଦୀ ଏବଂ ଟିଭି ହୋଷ୍ଟ ତଥା ବିଚାରକ ପଦ୍ମା ଲକ୍ଷ୍ମୀ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନର କିଙ୍ଗ ଚାର୍ଲ୍ସ, ସିଙ୍ଗର ବିୟନ୍ସେ ମଧ୍ୟ ସାମିଲ ହୋଇଛନ୍ତି।

ଶାହାରୁଖ ଖାନଙ୍କ ପ୍ରୋଫାଇଲ୍ ଲେଖିଛନ୍ତି ‘ପଠାନ’ରେ ତାଙ୍କ ସହ କାମ କରିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକା ଲେଖିଛନ୍ତି, ‘ମୁଁ ଶାହରୁଖ ଖାନଙ୍କ ସହ ମୋର ପ୍ରଥମ ସାକ୍ଷାତକୁ କେବେବି ଭୁଲି ପାରିବି ନାହିଁ | ସେହି ଦିନକୁ ୧୬ ବର୍ଷ ବିତିଗଲାଣି |

ଶାହାରୁଖ ଖାନ ଜଣେ ସର୍ବକାଳୀନ ମହାନ ଅଭିନେତା ଭାବେ ଗଣାଯିବେ। କିନ୍ତୁ ତାଙ୍କର ସବୁଠାରୁ ବିଶେଷ କଥା ହେଉଛି ତାଙ୍କ ଶିଷ୍ଟତା ଏବଂ ଉଦାରତା | ତାଲିକା ଲମ୍ବା … ଯେଉଁମାନେ ତାଙ୍କୁ ନିକଟରୁ ଜାଣନ୍ତି ସେମାନେ ଅବହିତ ଯେ ତାଙ୍କ ବ୍ୟକ୍ତିତ୍ୱର ବର୍ଣ୍ଣନା କରିବା ଏହି ୧୫୦ ଶବ୍ଦ ଯଥେଷ୍ଟ ନୁହେଁ ।

ଏସ୍ଏସ୍ ରାଜାମୌଲିଙ୍କ ପ୍ରୋଫାଇଲ୍ ଲେଖିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆ ଲେଖିଛନ୍ତି, ରାଜାମୌଲି ଦର୍ଶକ କ’ଣ ଚାହାନ୍ତି ତାହା ଜାଣନ୍ତି। ମୁଁ ତାଙ୍କୁ ଜଣେ ମାଷ୍ଟର ଷ୍ଟୋରି ଟେଲର ବୋଲି କହିବି | ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ ଏବଂ ରାଜାମୌଲି ଆମ ସମସ୍ତଙ୍କୁ ତାଙ୍କ ଚଳଚ୍ଚିତ୍ର ଜରିଆରେ ଯୋଡ଼ିଥାନ୍ତି |