ବିହାର ଭଳି ରାଜସ୍ଥାନରେ ହେବ ଜାତି ଭିତ୍ତିକ ଜନଗଣନା, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଘୋଷଣା | News Room Odisha

ବିହାର ଭଳି ରାଜସ୍ଥାନରେ ହେବ ଜାତି ଭିତ୍ତିକ ଜନଗଣନା, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଘୋଷଣା

ଜୟପୁର: ବିହାର ଢାଞ୍ଚାରେ ରାଜସ୍ଥାନରେ ବି ହେବ ଜାତି ଭିତ୍ତିକ ଜନଗଣନା । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ ଜାତି ଭିତ୍ତିକ ଜନଗଣନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ।

ଶୁକ୍ରବାର ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର‌ କୋର୍ ଗ୍ରୁପ୍ ବୈଠକରେ ଏହି ବିଷୟ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ସହ କଂଗ୍ରେସର ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ରାନ୍ଧଓ୍ବା, ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦୋତାସ୍ରା ଓ ଦଳର ଅନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ବିହାର ଭଳି ରାଜସ୍ଥାନ ସରକାର ମଧ୍ୟ ଜାତି ଭିତ୍ତିକ ଜନଗଣନା କରିବେ ବୋଲି ଏହି ବୈଠକ ପରେ ଗେହଲୋଟ୍ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି । ଜାତି ଭିତ୍ତିକ ଜନଗଣନା ଓ ଜନସଂଖ୍ୟା ଅନୁଯାୟୀ ପ୍ରତିନିଧିତ୍ବ ନେଇ ରାହୁଲ ଗାନ୍ଧୀ ଗୁରୁତ୍ଵାରୋପ କରିଥିଲେ । ତେଣୁ ରାଜସ୍ଥାନରେ ଆମେ ଏହି ଅଭିଯାନ ଆରମ୍ଭ କରିବୁ ବୋଲି ଗେହଲୋଟ୍ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଏ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବା ସମ୍ଭାବନା ରହିଛି ।