ଛତିଶଗଡ଼, ମଧ୍ୟପ୍ରଦେଶ ପରେ ଆଜି ରାଜସ୍ଥାନକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ | News Room Odisha

ଛତିଶଗଡ଼, ମଧ୍ୟପ୍ରଦେଶ ପରେ ଆଜି ରାଜସ୍ଥାନକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ

ଜୟପୁର: ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଆଜି ରାଜସ୍ଥାନକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିପାରେ । ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ଅପରାହ୍ନ ୪ଟାରେ ରାଜସ୍ଥାନ ବିଜେପି ବିଧାୟକ ଦଳ ବୈଠକ ବସିବ।

ଦଳର ରାଜ୍ୟ ମୁଖ୍ୟାଳୟରେ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦୁଇ ସହପର୍ଯ୍ୟବେକ୍ଷକ – ଜାତୀୟ ଉପାଧ୍ୟକ୍ଷ ସରୋଜ ପାଣ୍ଡେ ଏବଂ ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଧାୟକ ଭଜନଲାଲ ଶର୍ମା କହିଛନ୍ତି ।

ସେ କହିଛନ୍ତି, ସମସ୍ତ ନବ ନିର୍ବାଚିତ ଦଳୀୟ ବିଧାୟକଙ୍କୁ ବାଧ୍ୟତାମୂଳକ ଭାବେ ଏହି ବୈଠକରେ ଯୋଗଦେବାକୁ କୁହାଯାଇଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଦୌଡ଼ରେ ରହିଛନ୍ତି । ତେବେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ବିଜେପି ନେତୃତ୍ୱ ସରପ୍ରାଇଜ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଜସ୍ଥାନ ବିଧାନସଭାର ୨୦୦ଟି ଆସନ ମଧ୍ୟରୁ ୧୯୯ଟି ପାଇଁ ନଭେମ୍ବର ୨୫ରେ ମତଦାନ ହୋଇଥିଲା। ଏଥିମଧ୍ୟରୁ ବିଜେପି ୧୧୫ଟି ଆସନ ଜିତି ପୂର୍ଣ୍ଣ ବହୁମତ ହାସଲ କରିଥିଲା । ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ରାଜ୍ୟର ଗୋଟିଏ ନିର୍ବାଚନମଣ୍ଡଳୀରେ ମତଦାନ ସ୍ଥଗିତ ରଖାଯାଇଥିଲା।

ଗତ କିଛି ଦିନ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଅନେକ ଦଳୀୟ ବିଧାୟକଙ୍କୁ ଭେଟି ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ଦିଲ୍ଲୀରେ ମଧ୍ୟ ଦଳର ନେତାଙ୍କୁ ଭେଟିଥିଲେ। ତେବେ ନିର୍ବାଚନରେ ହାରିଥିବା ରାଜେନ୍ଦ୍ର ରାଠୋରଙ୍କ ସହ ଦଳର କିଛି ନେତାମାନେ କହିଛନ୍ତି ଯେ ବିଜେପିରେ ଶକ୍ତି ପ୍ରଦର୍ଶନ କରିବାର ପରମ୍ପରା ନାହିଁ।