ବିବାହ ବନ୍ଧନରେ ବାନ୍ଧି ହେଲେ ରାଜକୁମାର-ପତ୍ରଲେଖା | News Room Odisha

ବିବାହ ବନ୍ଧନରେ ବାନ୍ଧି ହେଲେ ରାଜକୁମାର-ପତ୍ରଲେଖା

ମୁମ୍ବାଇ: ୧୧ ବର୍ଷର ରୋମାନ୍ସ ପରେ ରାଜକୁମାର ରାଓ ଓ ପତ୍ରଲେଖା ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ‌। ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ସୋମବାର ଚଣ୍ଡିଗଡ଼ରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଏହା ପରେ ଦୁହେଁ ସୋସିଆଲ ମିଡିଆରେ ନିଜ ବିବାହର ଫଟୋ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରି ରାଜକୁମାର ରାଓ ଲେଖିଛନ୍ତି – “୧୧ ବର୍ଷର ପ୍ରେମ, ରୋମାନ୍ସ, ବନ୍ଧୁତା ଏବଂ ମସ୍ତି ପରେ ଆଜି ମୁଁ ମୋର ସବୁକିଛିକୁ ବିବାହ କରିଛି। ମୋର ପ୍ରାଣ, ମୋର ସବୁଠୁ ଘନିଷ୍ଠ ବନ୍ଧୁ, ମୋ ପରିବାର। ଆଜି ତୁମ ସ୍ୱାମୀ ଭାବେ ପରିଚିତ ହେବା ଅପେକ୍ଷା ମୋ ପାଇଁ ଆଉ କିଛି ଅଧିକ ଖୁସି ନାହିଁ..।”

ପତ୍ରଲେଖା ମଧ୍ୟ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିବାହ ଫଟୋ ସେୟାର କରିଛନ୍ତି।

ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ବଲିଉଡରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ପ୍ରିୟଙ୍କା ଚୋପ୍ରା, ତାପସୀ ପନ୍ନୁ, ବିଦିତା ବାଗ, ଆଥିଆ ଶେଟ୍ଟୀ ଏବଂ ନୂଶରତ ଭାରୁଚାଙ୍କ ପରି ସେଲିବ୍ରିଟି ନବ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନଭେମ୍ବର ୧୩ରେ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଯାହାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଭାଇରାଲ୍ ଭିଡିଓରେ ରାଜକୁମାର ଆଣ୍ଠୁରେ ବସି ପତ୍ରଲେଖାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ ଏବଂ ତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ। ପତ୍ରଲେଖା ମଧ୍ୟ ରାଜକୁମାରଙ୍କୁ ଆଣ୍ଠୁରେ ବସି ନିର୍ବନ୍ଧ ମୁଦି ପିନ୍ଧାଇଥିଲେ।

ରାଜକୁମାର ରାଓ ଏବଂ ପତ୍ରଲେଖା ଗତ ୧୧ ବର୍ଷ ଧରି ରିଲେଶନସିପରେ ଥିଲେ। ୨୦୧୪ର ଫିଲ୍ମ ‘ସିଟି ଲାଇଟ୍’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ​​|