'ଅଗ୍ନିବୀର'ଙ୍କୁ ୧୦% ସଂରକ୍ଷଣ ସହ ପ୍ରତିରକ୍ଷା ମନ୍ତ୍ରାଳୟରେ ମିଳିବ ଚାକିରି, ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅନୁମୋଦନ | News Room Odisha

‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ସହ ପ୍ରତିରକ୍ଷା ମନ୍ତ୍ରାଳୟରେ ମିଳିବ ଚାକିରି, ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅନୁମୋଦନ

ନୂଆଦିଲ୍ଲୀ: ସେନାରେ ସୈନିକ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ହୋଇଛି। ଏଭଳି ପରିସ୍ଥିତିରେ ଆଶାୟୀ ଯୁବକଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ସରକାର ଏହି ନିଯୁକ୍ତି ଯୋଜନାରେ କିଛି କୋହଳ କରିଛନ୍ତି । ଗୃହ ମନ୍ତ୍ରଣାଳୟ ପରେ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ‘ଅଗ୍ନିବୀର’ଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛି । ଚାରି ବର୍ଷର କାର୍ଯ୍ୟକାଳ ପରେ ଅଗ୍ନିବୀରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟରେ ନିଯୁକ୍ତି ଦିଆଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟରେ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଅଗ୍ନିବୀର ମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି। ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅନୁମୋଦନ କରିଛନ୍ତି। ସୂଚନା ଅନୁଯାୟୀ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବିଭାଗର ବେସାମରିକ ପଦପଦବୀ ଓ ସମସ୍ତ ୧୬ଟି ପ୍ରତିରକ୍ଷା ପିଏସୟୁରେ ରହିବ ।

ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ଦେବାକୁ ଘୋଷଣା କରିଥିଲା | ଅଗ୍ନିପଥ ଯୋଜନାରେ ଚାରି ବର୍ଷର କାର୍ଯ୍ୟକାଳ ପରେ ଅଗ୍ନିବୀର ମାନଙ୍କୁ ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ମିଳିବ । ଏହା ସହିତ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି | ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛି ।