ରାଜ୍ୟସଭାରେ ବି ପାରିତ ହେଲା ଦିଲ୍ଲୀ ସେବା ବିଲ୍  | News Room Odisha

ରାଜ୍ୟସଭାରେ ବି ପାରିତ ହେଲା ଦିଲ୍ଲୀ ସେବା ବିଲ୍ 

ନୂଆଦିଲ୍ଲୀ: ଲୋକସଭାର ମଞ୍ଜୁରି ଲାଭ କରିଥିବା ଦିଲ୍ଲୀ ସେବା ବିଲ୍ ରାଜ୍ୟସଭାରେ ବି ପାରିତ ହୋଇଛି । ଉଭୟ ଗୃହରେ ପାରିତ ହେବା ପରେ ଏହି ବିଲକୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ଆଜି ଦିଲ୍ଲୀ ସେବି ବିଲ୍ ଉପରେ ବିତର୍କ ବେଳେ ଶାସକ ଏବଂ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।

ଇଲେକ୍ଟ୍ରୋନିକ ମେସିନ୍ ଖରାପ ହୋଇଯିବା ଯୋଗୁଁ ବିଲ୍ ଉପରେ ଭୋଟିଂ କାଗଜ ସ୍ଲିପ୍ ମାଧ୍ୟମରେ ହୋଇଥିଲା | ଏହି ବିଲ୍ ସପକ୍ଷରେ ୧୩୧ ଓ ବିରୋଧରେ ୧୦୨ଟି ଭୋଟ୍ ପଡ଼ିଥିଲା ।

ଆପ୍ ସରକାର ନିୟମ ପାଳନ କରୁନଥିବାରୁ ଦିଲ୍ଲୀ ସେବା ବିଲ୍ ଅଣାଯାଇଛି ବୋଲି ବିଲ୍ ଉପରେ ବିତର୍କ ବେଳେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ।

କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ଏହି ବିଲକୁ ବିରୋଧ କରିବା ନେଇ ଶାହ କହିଥିଲେ ଯେ ବିରୋଧୀ ଦଳ କେବଳ ସେମାନଙ୍କ ମେଣ୍ଟ ବଞ୍ଚାଇବା ପାଇଁ ଏହାକୁ ବିରୋଧ କରୁଛନ୍ତି।

ଏହି ବିଲ୍ ସହ ମୋଦୀ ସରକାର ସେହି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ଚାହୁଁଛନ୍ତି ଯେଉଁଥିରେ ଦିଲ୍ଲୀର ଉପରାଜ୍ୟପାଳଙ୍କ ପାଖରେ ଅଧିକାରୀଙ୍କ ପୋଷ୍ଟିଂ କିମ୍ବା ବଦଳି ଉପରେ ଚୂଡ଼ାନ୍ତ ଅଧିକାର ରହିବ।

ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ମେ ୧୧ରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଥିଲେ ଯେ ଅଧିକାରୀଙ୍କ ବଦଳି ଏବଂ ପୋଷ୍ଟିଂ ଅଧିକାର ଦିଲ୍ଲୀ ସରକାରଙ୍କ ପାଖରେ ରହିବା ଉଚିତ ।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ  ଉପରାଜ୍ୟପାଳ ଦିଲ୍ଲୀର ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ହସ୍ତକ୍ଷେପ କରିପାରିବେ ନାହିଁ।

ସୁପ୍ରିମକୋର୍ଟ କହିଥିଲେ ଯେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ବଦଳି ଅଧିକାର ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ ପାଖରେ ରହିବା ଉଚିତ। ଜମି, ସାଧାରଣ ବ୍ୟବସ୍ଥା ଏବଂ ପୋଲିସ୍ ବ୍ୟତୀତ ଅନ୍ୟ ସମସ୍ତ ସେବା ସମ୍ବନ୍ଧୀୟ ନିଷ୍ପତ୍ତି, ଆଇଏଏସ୍ ଅଧିକାରୀଙ୍କ ପୋଷ୍ଟିଂ (ଦିଲ୍ଲୀ ସରକାର କରନ୍ତୁ କିମ୍ବା ନକରନ୍ତୁ) ଏବଂ ସେମାନଙ୍କର ବଦଳି ଅଧିକାର କେବଳ ଦିଲ୍ଲୀ ସରକାରଙ୍କ ପାଖରେ ରହିବ ।

ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଭାବହୀନ କରିବା ପାଇଁ ଓ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ମାମଲାରେ ପୂର୍ବ ବ୍ୟବସ୍ଥା ପୁନଃ ପ୍ରଚଳନ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଥିଲେ  । ‌ଆପ୍ ଏହା ବିରୋଧରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ଏହି ମାମଲାକୁ ଏକ ପାଞ୍ଚ ଜଣିଆ ସମ୍ବିଧାନ ପୀଠକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି ମାମଲା ସମ୍ପ୍ରତି ବିଚାରାଧୀନ ଅଛି ।