ପ୍ରଧାନମନ୍ତ୍ରୀଙ୍କ କଥାରେ ଭରସା ନାହିଁ? ରାକେଶ ଟିକାଏତ୍ କହିଲେ ଏବେ ବନ୍ଦ ହେବନି କୃଷକ ଆନ୍ଦୋଳନ | News Room Odisha

ପ୍ରଧାନମନ୍ତ୍ରୀଙ୍କ କଥାରେ ଭରସା ନାହିଁ? ରାକେଶ ଟିକାଏତ୍ କହିଲେ ଏବେ ବନ୍ଦ ହେବନି କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: ପ୍ରକାଶ ପର୍ବ ଅବସରରେ ଦେଶକୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବା ପାଇଁ ସେ ତାଙ୍କ ସମ୍ବୋଧନରେ କୃଷକମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ କୃଷକମାନେ ନିଜ ଚାଷଜମିକୁ ଓ ପରିବାରକୁ ଫେରିବା ଉଚିତ୍। ତେବେ କୃଷକ ଆନ୍ଦୋଳନ ଏବେ ବନ୍ଦ ହେବ ନାହିଁ ବୋଲି କୃଷକ ନେତା ରାକେଶ ଟିକାଏତ୍ ସ୍ପଷ୍ଟ କରିଛନ୍ତି। ଭାରତ କିସାନ ୟୁନିଅନ (ବି.କେ.ୟୁ) ମୁଖପାତ୍ର ଟିକାଏତ୍ ଏକ ଟ୍ୱିଟରେ ଏହା କହିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, ‘ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହାର କରାଯିବ ନାହିଁ, ସଂସଦରେ କୃଷି ଆଇନ ରଦ୍ଦ ହେବା ଯାଏ ଆମେ ଅପେକ୍ଷା କରିବୁ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ସହ ସରକାର ଚାଷୀଙ୍କ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବା ଉଚିତ୍।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମ ବିରୋଧରେ ସାରା ଦେଶରେ କୃଷକମାନେ ଏକ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ ଚଳାଇ ଆସୁଥିଲେ। ନୂଆ କୃଷି ଆଇନ ଯୋଗୁଁ କୃଷିରେ ଘରୋଇ କ୍ଷେତ୍ରର ହସ୍ତକ୍ଷେପ ବୃଦ୍ଧି ପାଇବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ।
ଆଜି ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ଆମ ଉଦ୍ୟମରେ କୋଉଠି କିଛି ଅଭାବ ରହିଯାଇଥିଲା । ଆମେ ଏକ କୃଷକ ଗୋଷ୍ଠୀକୁ ଏହି ଆଇନର ଗୁରୁତ୍ଵ ବୁଝାଇବାରେ ବିଫଳ ହୋଇଥିଲୁ ।

Farm LawsNarendra ModiRakesh Tikait