'କିଛି ଠିକ୍ ହେବନି..' ତୈଳଦର ବୃଦ୍ଧି ନେଇ ପ୍ରଶ୍ନରେ ରାଗିଗଲେ ରାମଦେବ, ସାମ୍ବାଦିକଙ୍କୁ ଧମକାଇଲେ | News Room Odisha

‘କିଛି ଠିକ୍ ହେବନି..’ ତୈଳଦର ବୃଦ୍ଧି ନେଇ ପ୍ରଶ୍ନରେ ରାଗିଗଲେ ରାମଦେବ, ସାମ୍ବାଦିକଙ୍କୁ ଧମକାଇଲେ

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ତୈଳଦର ବୃଦ୍ଧି ଉପରେ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କ ଉପରେ ରାଗିଯାଇ ତାଙ୍କୁ ଧମକ ଦେଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯୋଗ ଗୁରୁ ରାମଦେବ ହରିୟାଣାର କର୍ଣ୍ଣାଲରେ ଏକ କାର୍ଯ୍ୟକ୍ରମରେ ଦରବୃଦ୍ଧି ବିଷୟରେ କହୁଥିଲା ବେଳେ ଜଣେ ସାମ୍ବାଦିକ ରାମଦେବଙ୍କୁ ତାଙ୍କର ଏକ ପୁରୁଣା ମନ୍ତବ୍ୟ ନେଇ ପ୍ରଶ୍ନ ପଚାରିଥିଲେ ।

ୟୁପିଏ-୨ ସରକାର ସମୟରେ ରାମଦେବଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ସେତେବେଳେ ସେ କହିଥିଲେ ଯେ ବିଜେପି କ୍ଷମତାକୁ ଆସିଲେ ଦେଶରେ ପେଟ୍ରୋଲ ଲିଟର ପିଛା ୪୦ ଟଙ୍କା ଏବଂ ଗ୍ୟାସ ସିଲିଣ୍ଡର ୩୦୦ ଟଙ୍କାରେ ମିଳିବ ।

ତାଙ୍କର ସେହି ବୟାନ ଉପରେ ପ୍ରଶ୍ନ କରିବାରୁ ରାମଦେବ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ।
ଏକ କାର୍ଯ୍ୟକ୍ରମରେ ଯୋଗ ଗୁରୁ ରାମଦେବ ଦରବୃଦ୍ଧି ବିଷୟରେ କହିବାବେଳେ ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେଉଥିଲେ।

ସେ କହିଥିଲେ “ସରକାର କହୁଛନ୍ତି ଯେ ଯଦି ତୈଳ ମୂଲ୍ୟ କମ୍ ହୁଏ, ତେବେ ଟ୍ୟାକ୍ସ ମିଳିବନି । ଯଦି ଟ୍ୟାକ୍ସ ନ ମିଳେ ତେବେ ଆମେ ଦେଶକୁ କିପରି ଚଳାଇବୁ ଏବଂ ସେନାକୁ କିପରି ଟଙ୍କା ଦିଆଯିବ, ରାସ୍ତା ଏବଂ ବିମାନବନ୍ଦର କିପରି ନିର୍ମାଣ ହେବ। ଉଭୟ ପାର୍ଶ୍ବକୁ ଦେଖିବାକୁ ହେବ। ”

ଏହା ପରେ ଜଣେ ସାମ୍ବାଦିକ ତାଙ୍କ ପୁରୁଣା ମନ୍ତବ୍ୟ ନେଇ ପ୍ରଶ୍ନ ପଚାରିଥିଲେ ଯେଉଁଥିରେ ସେ ବିଜେପି ଆସିଲେ ୪୦ ଟଙ୍କାରେ ପେଟ୍ରୋଲ ଏବଂ ୩୦୦ ଟଙ୍କା ସିଲିଣ୍ଡର ମିଳିବ ବୋଲି କହିଥିଲେ । ଏହି ପ୍ରଶ୍ନରେ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ ରାମଦେବ ।

ଆରମ୍ଭରେ ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇନଥିଲେ ଏବଂ ପରେ ସାମ୍ବାଦିକ ଜଣକ ବାରମ୍ବାର ପଚାରିବାରୁ ସେ ରାଗିଯାଇ କହିଥିଲେ, “ହଁ ମୁଁ କହିଥିଲି.. କ’ଣ ହୋଇଗଲା ସେଇଠୁ.. ମୋର କଣ ଉପାଡ଼ି ପକାଇବ ? ଏପରି ପ୍ରଶ୍ନ ପଚାରନି… ମୁଁ କ’ଣ ଠିକାଦାର ? ତମେ ମୋତେ ପଚାରୁଥିବ ଆଉ ମୁଁ ତୁମକୁ ଉତ୍ତର ଦେଉଥିବି ? ଚୁପ୍ ହୋଇଯାଅ, ଆଗକୁ ଯଦି ଏପରି ପ୍ରଶ୍ନ ପଚାରିବ, ତେବେ କିଛି ଠିକ୍ ହେବନି..। ଟିକିଏ ସଭ୍ୟ ହେବାକୁ ଶିଖ..।”

ଦେଶରେ ତୈଳ ଦର ବୃଦ୍ଧି ଜାରି ରହିଛି। ଗୁରୁବାର ମଧ୍ୟ ତୈଳ ଦର ବଢ଼ିଛି । ଗତ ୧୦ ଦିନରେ ନବମ ଥର ପାଇଁ ତେଲଦର ମହଙ୍ଗା ହୋଇଛି ।

ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦-୮୦ ପଇସା ବୃଦ୍ଧି କରାଯାଇଛି, ଯାହା ପରେ ଗତ ୧୦ ଦିନରେ ପେଟ୍ରୋଲ-ଡିଜେଲ ଲିଟର ପିଛା ୬.୪୦ ଟଙ୍କା ବୃଦ୍ଧି ପାଇଛି।

ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୩.୦୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦୦.୯୪ ଟଙ୍କାରେ ବିକ୍ରି ହେଉଛି।