ସାଂସଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରି ସୁପ୍ରିମକୋର୍ଟ ବାହାରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ | News Room Odisha

ସାଂସଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରି ସୁପ୍ରିମକୋର୍ଟ ବାହାରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଉ ଆସନରୁ ବିଏସପି ସାଂସଦ ଥିବା ଅତୁଲ ରାୟଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣି ସୁପ୍ରିମକୋର୍ଟ ବାହାରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମହିଳା ଏବଂ ତାଙ୍କ ସହଯୋଗୀ ସତ୍ୟମ୍ ପ୍ରକାଶ ରାୟ ଅଗଷ୍ଟ ୧୬ରେ ସୁପ୍ରିମକୋର୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ପୂର୍ବେ ସତ୍ୟମଙ୍କର ମୃତ୍ୟୁ ହୋଇଥିଲା ବେଳେ ଏବଂ ମହିଳା ଜଣକ ମଧ୍ୟ ଆଖି ବୁଜିଛନ୍ତି ।

ମହିଳାଙ୍କ ସହ ଆତ୍ମହୁତି ଉଦ୍ୟମ କରିଥିବା ସତ୍ୟମ୍ ଏହି ମାମଲାର ମୁଖ୍ୟ ସାକ୍ଷୀ ଥିଲେ। ସୁପ୍ରିମକୋର୍ଟ ବାହାରେ ଆତ୍ମହୁତି ଉଦ୍ୟମ କରିବା ପୂର୍ବରୁ ମହିଳା ଏବଂ ତାଙ୍କ ସହଯୋଗୀ ସୋସିଆଲ ମିଡିଆରେ ଲାଇଭ୍ କରିଥିଲେ | ମହିଳା ଜଣକ ନିଜକୁ ବଳାତ୍କାର ପୀଡ଼ିତା ବୋଲି କହିଥିଲେ । ତାଙ୍କୁ ନ୍ୟାୟ ମିଳିନଥିବାରୁ ସେ ଗଭୀର ନିରାଶ ହୋଇଥିବା କହିଥିଲେ। ସାଂସଦ ଅତୁଲ ରାୟ ତାଙ୍କ ପ୍ରଭାବ ବଳରେ ତାଙ୍କୁ ବହୁତ ହଇରାଣ କରୁଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଥିଲେ। ପୋଲିସ ଏବଂ ବିଚାରପତିଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତାଙ୍କୁ ନ୍ୟାୟ ମିଳୁନାହିଁ। ଏହି କାରଣରୁ ସେ ଏବଂ ତାଙ୍କ ସହଯୋଗୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଥିଲେ।

ବଳାତ୍କାର ପୀଡିତା ମୃତା ମହିଳା ୟୁପି ବଲିଆ ଜିଲ୍ଲାର ବାସିନ୍ଦା ତଥା ବାରାଣାସୀରେ ୟୁପି କଲେଜର ପ୍ରାକ୍ତନ ଛାତ୍ରୀ। ୨୦୧୯ ମେ’ ୧ରେ ସେ ବଳାତ୍କାର ଅଭିଯୋଗରେ ଲଙ୍କା ପୋଲିସ ଷ୍ଟେସନରେ ବିଏସପି ସାଂସଦ ଅତୁଲ ରାୟଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଅତୁଲ ରାୟ ଗତ ଅଢେଇ ବର୍ଷ ଧରି ପ୍ରୟାଗର ନୈନି ସେଣ୍ଟ୍ରାଲ ଜେଲରେ ଅଛନ୍ତି।