ଆଫଗାନ୍ କ୍ରିକେଟର୍ ରସିଦ ଖାନଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଖବରକୁ ରତନ ଟାଟାଙ୍କ ଖଣ୍ଡନ | News Room Odisha

ଆଫଗାନ୍ କ୍ରିକେଟର୍ ରସିଦ ଖାନଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଖବରକୁ ରତନ ଟାଟାଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଶିଳ୍ପପତି ରତନ ଟାଟା ସୋମବାର ତାଙ୍କ ନାମରେ ପ୍ରଚାର ହେଉଥିବା ଏକ ମିଛ ଖବରକୁ ଖଣ୍ଡନ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, ମୁଁ ଆଇସିସି କିମ୍ବା କୌଣସି କ୍ରିକେଟ୍ ଅଧିକାରୀଙ୍କୁ କୌଣସି ଖେଳାଳିଙ୍କ ଉପରେ ଜରିମାନା କିମ୍ବା ପୁରସ୍କାର ପାଇଁ କୌଣସି ପ୍ରସ୍ତାବ ଦେଇ ନାହିଁ ।”

“କ୍ରିକେଟ୍ ସହିତ ମୋର କୌଣସି ସମ୍ପର୍କ ନାହିଁ। ଦୟାକରି ଏପରି ହ୍ବାଟସଆପ୍ ଫରୱାର୍ଡ ଏବଂ ଭିଡିଓଗୁଡିକ ମୋର ଅଫିସିଆଲ୍ ପ୍ଲାଟଫର୍ମରୁ ପୋଷ୍ଟ ନହେବା ପର୍ଯ୍ୟନ୍ତ ଏଥିରେ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ତାଙ୍କ ନାମରେ ନିକଟରେ କିଛି ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେଣୁ ରତନ ଟାଟାଙ୍କୁ ଏପରି ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି।

ରତନ ଟାଟାଙ୍କ ନାଁରେ ଭାଇରାଲ ହେଉଥିବା ରିପୋର୍ଟରେ ଦାବି କରାଯାଇଛି ଯେ ଆଫଗାନିସ୍ତାନର କ୍ରିକେଟର୍ ରସିଦ ଖାନଙ୍କୁ ରତନ ଟାଟା ୧୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ବିଜୟ ପରେ ରସିଦ ଖାନ୍ ତାଙ୍କ ଜର୍ସିରେ ଭାରତୀୟ ପତାକା ଲଗାଇ ସେଲିବ୍ରସନ କରିଥିଲେ । ଏଥିପାଇଁ ତାଙ୍କୁ ଆଇସିସି ଜରିମାନା କରିଥିଲେ । ତେଣୁ ସହାନୁଭୂତି ପୂର୍ବକ ଏହି ଆଫଗାନ୍ ଖେଳାଳିଙ୍କୁ ରତନ ଟାଟା ୧୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ବୋଲି କିଛି ରିପୋର୍ଟରେ ଦାବି କରାଯାଇଥିଲା ।