ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ରିଟେନରେ ଜମା ରଖିଥିବା ନିଜ ୧୦୦ ଟନ୍ (ପ୍ରାୟ ୧ ଲକ୍ଷ କିଲୋଗ୍ରାମ) ସୁନା ଫେରାଇ ଆଣିଛି। ୧୯୯୧ ପରଠୁ ପ୍ରଥମ ଥର ଏତେ ପରିମାଣର ସୁନା ଭାରତୀୟ ରାଜକୋଷକୁ ଆସିଛି।
ସଦ୍ୟତମ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ୮୨୨.୧ ଟନ୍ ସୁନା ଥିଲା । ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଜମା ରଖାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ସୁନା କିଣୁଥିବା କେନ୍ଦ୍ରୀୟ ବ୍ୟାଙ୍କ ତାଲିକାରେ ଆରବିଆଇ ମଧ୍ୟ ସାମିଲ ହୋଇଛି । ଗତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର ସୁନା ଭଣ୍ଡାର ୨୭.୫ ଟନ୍ ବୃଦ୍ଧି ପାଇଛି।
ଭାରତକୁ ୧୦୦ ଟନ୍ ସୁନା ଫେରାଇ ଆଣିବା ସହଜ ନଥିଲା। ଏଥିପାଇଁ ବହୁ ମାସ ପୂର୍ବରୁ ଯୋଜନା କରାଯାଇଥିଲା । ଅର୍ଥ ମନ୍ତ୍ରଣାଳୟ, ଆରବିଆଇ ଏବଂ ସରକାରଙ୍କ ଅନ୍ୟ ବିଭାଗ ମଧ୍ୟରେ ସମନ୍ଵୟ ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହି ଯୋଜନାର ସଫଳ କାର୍ଯ୍ୟକାରି କରାଯାଇଛି।
ଭାରତରକୁ ସୁନା ଆଣିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଅବକାରୀ ଶୁଳ୍କ ଛାଡ଼ କରାଯାଇଛି। କିନ୍ତୁ ଆମଦାନୀ ଉପରେ ଲାଗୁ ଇଣ୍ଟିଗ୍ରେଟେଡ୍ ଜିଏସଟିରେ କୌଣସି ରିହାତି ଦିଆଯାଇ ନାହିଁ। କାରଣ ଏହି ଟିକସ ରାଜ୍ୟମାନଙ୍କୁ ଆବଣ୍ଟିତ କରାଯାଇଥାଏ।
ସୁନା ଆଣିବା ପାଇଁ ଏକ ସ୍ୱତନ୍ତ୍ର ବିମାନ ବ୍ୟବହାର କରାଯାଇଥିଲା | ଆମ ଦେଶରେ ମୁମ୍ବାଇର ମିଣ୍ଟ ରୋଡରେ ଥିବା ପୁରୁଣା ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ କୋଠାରେ ସୁନା ରଖାଯାଏ। ଏହାଛଡ଼ା ନାଗପୁର ସ୍ଥିତ ଭଲ୍ଟରେ ମଧ୍ୟ ସୁନା କଡ଼ା ସୁରକ୍ଷା ସହିତ ରଖାଯାଏ ।
ଆରବିଆଇ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସୁନା ଜମା ରଖେ । ସମସ୍ତ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ବିଭିନ୍ନ ସ୍ଥାନରେ ସୁନା ରଖିବାକୁ ଚାହାଁନ୍ତି, ଯାହାଦ୍ୱାରା ଏଥିସହ ଜଡ଼ିତ ରିସ୍କ କମିଯିବ । ସର୍ବପ୍ରଥମେ ସୁନାର ସୁରକ୍ଷାକୁ ପ୍ରାଥମିକତା ଦିଆଯାଏ ।
ଯଦି ବିପର୍ଯ୍ୟୟ କିମ୍ବା ରାଜନୈତିକ ଅସ୍ଥିରତା କାରଣରୁ ଦେଶର ଆର୍ଥିକ ଅବସ୍ଥା ବିଗିଡ଼ି ଯାଏ, ତେବେ ଏହାର ମୁକାବିଲା ପାଇଁ ବିଦେଶରେ ରଖାଯାଇଥିବା ସୁନା କାମରେ ଆସିଥାଏ। ଯେତେବେଳେ ୧୯୯୧ରେ ଭାରତର ଅର୍ଥନୀତି ଭୁଶୁଡ଼ିବା ଦ୍ୱାରଦେଶରେ ପହଞ୍ଚି ଯାଇଥିଲା, ଜିନିଷ ଆମଦାନୀ କରିବାକୁ ଭାରତ ସରକାରଙ୍କ ପାଖରେ ଡଲାର ନଥିଲା । ସେତେବେଳେ ସୁନା ବନ୍ଧକ ରଖି ଅନ୍ତର୍ଜାତୀୟ ବଜାରରୁ ଟଙ୍କା ଉଠାଇ ଭାରତ ଏହି ଆର୍ଥିକ ସଙ୍କଟରୁ ମୁକୁଳିଥିଲା ।